ଚିଲିକା ଓ ଅଂଶୁପାର ରକ୍ଷଣାବେକ୍ଷଣ ପାଇଁ କେନ୍ଦ୍ର ଦେଇଛି ୪.୭ କୋଟି
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ ୨ ବର୍ଷରେ କେନ୍ଦ୍ର ସରକାର ନ୍ୟାସନାଲ୍ ପ୍ଲାନ ଫର୍ କଞ୍ଜରଭେସନ୍ ଅଫ୍ ଆକ୍ୱାଟିକ ଇକୋସିଷ୍ଟମ୍(ଏନପିସିଏ) ଅଧୀନରେ ଓଡ଼ିଶାକୁ ୪.୭ କୋଟି ଟଙ୍କା ଦେଇଛନ୍ତି। ଭାରତର ସର୍ବବୃହତ ଲୁଣି ହ୍ରଦ ଚିଲିକା ଓ ଓଡିଶାର ସର୍ବବୃହତ ମଧୁର ଜଳ ହ୍ରଦ ଅଂଶୁପାର ରକ୍ଷଣାବେକ୍ଷଣ ପାଇଁ ଏହି ଅନୁଦାନ ଦିଆଯାଇଛି। ଏ ସମ୍ପର୍କରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକେରଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ପରିବେଶ ପର୍ଯ୍ୟଟନର ଅପାର ସମ୍ଭାବନା ରଖିଥିବା ଅଂଶୁପା ହ୍ରଦ ଏବଂ ଚିଲିକା ହ୍ରଦ ପରିବ୍ରାଜୀ ପକ୍ଷୀମାନଙ୍କର ବାସଗୃହ ଓ ପ୍ରକୃତି ବିଶେଷଜ୍ଞଙ୍କ ପାଇଁ ସ୍ୱର୍ଗ ସଦୃଶ । ଏକ ସ୍ଥିର ଭବିଷ୍ୟତ ପାଇଁ ଭାରତ ସରକାର ଏହି ‘ଓଡ଼ିଶାର ଅଳଙ୍କାର’ର ସଂରକ୍ଷଣ ଏବଂ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ । pic.twitter.com/IH5OvF8XT6
— Dharmendra Pradhan (@dpradhanbjp) September 19, 2020
ଟ୍ୱିଟ୍ କରି ଶ୍ରୀ ପ୍ରଧାନ ଲେଖିଛନ୍ତି-“୩ ବର୍ଷ ପୂର୍ବେ ଦଳ ଓ ଆବର୍ଜନାରେ ପୋତି ହୋଇଯାଇ ଥିଲା ଅଂଶୁପା ହ୍ରଦ। ଏହାର ପୁନରୁଦ୍ଧା କାର୍ଯ୍ୟ ସମସ୍ତଙ୍କୁ ଖୁସି ଦେଇଛି। ଏହାଛଡ଼ା ସମଗ୍ର ଦେଶରେ ସନ୍ତସନ୍ତିଆ ଅଞ୍ଚଳର ସଂରକ୍ଷଣ ଓ ସୁରକ୍ଷା ପାଇଁ ପ୍ରୋତ୍ସାହନ ମଧ୍ୟ ଯୋଗାଇ ଦିଆଯାଇଛି। ପରିବେଶ ପର୍ଯ୍ୟଟନର ଅପାର ସମ୍ଭାବନା ରଖିଥିବା ଅଂଶୁପା ହ୍ରଦ ଓ ଚିଲିକା ହ୍ରଦ ବିଦେଶାଗତ ପକ୍ଷୀମାନଙ୍କର ବାସଗୃହ ହୋଇଛି। ଏହା ପ୍ରକୃତି ପ୍ରେମୀଙ୍କ ମନମୋହୁଛି।”
ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶା ଭଳି ରାଜ୍ୟରେ ଏହି ସନ୍ତସନ୍ତିଆ ଅଞ୍ଚଳ ଆର୍ଥିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରାକୃତିକ ବିପର୍ଯ୍ୟୟରୁ ମଧ୍ୟ ସୁରକ୍ଷା ଯୋଗାଇବା ପାଇଁ ସହାୟକ ହୋଇଥାଏ । pic.twitter.com/O6I9c6fsnh
— Dharmendra Pradhan (@dpradhanbjp) September 19, 2020
ସେ ଆହୁରି ଲେଖିଛନ୍ତି-“ସହରାଞ୍ଚଳର ସ୍ଥିର ଭବିଷ୍ୟତ ପାଇଁ ଆବଶ୍ୟକ ହେଉଥିବା ମୂଲ୍ୟବାନ ଇକୋସିଷ୍ଟମ୍ ନିମନ୍ତେ ସନ୍ତସନ୍ତିଆ ଅଞ୍ଚଳ ହେଉଛି ଗୁରୁତ୍ୱପୂର୍ଣ୍ଣ। ବାରମ୍ୱାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶା ଭଳି ରାଜ୍ୟରେ ଏହି ସନ୍ତସନ୍ତିଆ ଅଞ୍ଚଳ ଆର୍ଥିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରାକୃତିକ ବିପର୍ଯ୍ୟୟରୁ ମଧ୍ୟ ସୁରକ୍ଷା ଯୋଗାଇବା ପାଇଁ ସହାୟକ ହୋଇଥାଏ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।