ଜେରା ହେବେ ୧୨ ଜଣ, ଖୋଲିବ ଲେଡି ବ୍ଲାକ୍‌ମେଲର୍ ଗୁମର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲେଡି ବ୍ଲାକ୍‌ମେଲର୍ ଅର୍ଚ୍ଚନା ନାଗଙ୍କ ଏଣ୍ଡେଭର୍ କାର୍ ଲିଙ୍କ୍‌ର ଖୋଲୁଛି ଗୁମର। କାର୍ କିଣା ବାବଦକୁ ପ୍ରାୟ ୪୦ ଲକ୍ଷ ଟଙ୍କାର ସୁରାଗ୍ ଲାଗିଛି ଇଡି ହାତରେ। ମିଳିଥିବା ସୂଚନା ଅନୁଯାୟୀ ଉପହାର ସୂତ୍ରରେ କାର୍ କିଣିବାକୁ ଟଙ୍କା ଆସିଥିଲା ଅର୍ଚ୍ଚନାଙ୍କ ଆକାଉଣ୍ଟକୁ। ତେବେ କିଏ ଓ କେଉଁ ସ୍ୱାର୍ଥରେ ଦେଇଥିଲେ ଏତେ ଟଙ୍କା ? ଇଡି ତାହାର ତନାଘନା କରିବ। ଏଥିସହ ସହ ଗତ ୫ ବର୍ଷରେ ନାଗ-ଚାନ୍ଦ ଦମ୍ପତିଙ୍କ ଆକାଉଣ୍ଟକୁ ଆସିଥିବା ଅଢ଼େଇ କୋଟିର ବି ଖୋଳତାଡ଼ କରୁଛି ଇଡି। ଏସବୁ ଭିତରେ ନାଗ-ଚାନ୍ଦ ଦମ୍ପତିଙ୍କ ବିଜନେସ୍ ପାର୍ଟନର ଖଗେଶ୍ୱରଠୁ ୧୦ ଦିନିଆ ରିମାଣ୍ଡ ଭିତରେ ଇଡି ବହୁ ତଥ୍ୟ ହାତେଇବା ସହ ୧୨ ଜଣଙ୍କୁ ନୋଟିସ୍ କରିଛି। ସମନ ହୋଇଥିବା ଲୋକମାନଙ୍କୁ ଆସନ୍ତା ମଙ୍ଗଳବାରଠୁ ଜେରା କରାଯିବ। ଇଡି ସମନ କରିଥିବା ଲୋକଙ୍କ ମଧ୍ୟରେ ଅଛନ୍ତି ବ୍ୟବସାୟୀ ଓ ବିଲଡର।

ଭୁବନେଶ୍ୱର ମଞ୍ଚେଶ୍ୱରରୁ ଗତ ରାତିରେ ଉକ୍ତ ଏଣ୍ଡେଭର୍ କାର୍ ନମ୍ବର ବିହୀନ ଅବସ୍ଥାରେ ଠାବ ହୋଇଥିଲା। ପୂର୍ବରୁ ଜଗବନ୍ଧୁ ଓ ଅର୍ଚ୍ଚନା ଯେତେବେଳେ ଏହି କାର୍ ସହ ସେଲ୍ଫି ନେଇଥିଲେ, ସେହି ଫଟୋରେ ସ୍ପଷ୍ଟ ଦେଖାଯାଉଛି ନମ୍ବର ପ୍ଲେଟ୍। କିନ୍ତୁ ଗତ ରାତିରେ ଠାବ ହେବାବେଳକୁ କାର୍‌ରେ ନଥିଲା ନମ୍ବର ପ୍ଲେଟ୍।

ଆଜି କିନ୍ତୁ ରହସ୍ୟଜନକ ଭାବେ ପୁଣି ନମ୍ବର ପ୍ଲେଟ୍ ମିଳିଛି କାର୍ ଭିତରୁ। କିଏ କରୁଥିଲା ଏହି ନମ୍ବରପ୍ଲେଟ୍ କାରସାଦି ? ଏବେ ବି ସକ୍ରିୟ ରହିଛନ୍ତି କି ନାଗ-ଚାନ୍ଦ ଦମ୍ପତିଙ୍କ କ୍ରାଇମ ସିଣ୍ଡିକେଟ ସଦସ୍ୟ? ଫୋର୍ଡ କମ୍ପାନୀର ଏହି ଅଟୋମେଟିକ୍ ଏଣ୍ଡେଭର୍ କାର୍ର ଦାମ୍ ୩୬ ଲକ୍ଷ ଟଙ୍କା। ଯାହାର ମାଲିକାଣୀ ଅର୍ଚ୍ଚନା ନାଗ୍।

ମିଳିଥିବା ପ୍ରାଥମିକ ସୂଚନାରୁ, ଏହି କାର୍‌କୁ ୨୦୨୦ରେ କିଣିଥିଲେ ଅର୍ଚ୍ଚନାା ତେବେ କୌଣସି ଆଖିଦୃଶିଆ ଆୟ ନଥାଇ ଅର୍ଚ୍ଚନାଙ୍କ ପାଖକୁ ଏତେ ଟଙ୍କା ଆସିଲା କେଉଁଠୁ? କୁହାଯାଉଛି, ବିଭିନ୍ନ ସମୟରେ ୪୦ ଲକ୍ଷରୁ ଅଧିକ ଟଙ୍କା ଡିପୋଜିଟ୍ ହୋଇଛି ଅର୍ଚ୍ଚନାଙ୍କ ବ୍ୟାଙ୍କ ଆକାଉଣ୍ଟରେ। ଏହା ବି ଚର୍ଚ୍ଚା ହେଉଛି, ଅନେକ ସମୟରେ ଉପହାର ସୂତ୍ରରେ ପାଇଥିବା ଟଙ୍କାରେ ଏହି କାର୍ କିଣିଥିଲେ ଅର୍ଚ୍ଚନାା ତେବେ କିଏ ଦେଇଥିଲା ଏହି ଉପହାର? ଇଡି ସେ ଦିଗକୁ ସସ୍‌ପେନ୍ସ ରଖିଛିା

ସୂଚନା ଥାଉକି, କେତେ ଗଭୀରକୁ ଯାଇଛି ନାଗ-ଚାନ୍ଦଙ୍କ କଳା ସାମ୍ରାଜ୍ୟର ଚେର; ସେନେଇ ଜାଣିବାକୁ ଗତ ୨ ସପ୍ତାହ ହେଲାଣି ଘାଣ୍ଟୁଛି ଇଡି। ଗତ ୫ ବର୍ଷ ଭିତରେ ନାଗ-ଚାନ୍ଦ ଦମ୍ପତିଙ୍କ ଆକାଉଣ୍ଟରେ କ୍ୟାସ୍ ଡିପୋଜିଟ୍ ହୋଇଛି ପ୍ରାୟ ଅଢ଼େଇ କୋଟି ଟଙ୍କା। ବ୍ୟାଙ୍କ ଓ ଏଟିଏମ୍ ଜରିଆରେ ଡିପୋଜିଟ୍ ହୋଇଛି ଏସବୁ ଟଙ୍କା। ଏହାର ତଦନ୍ତ ପାଇଁ ବ୍ୟାଙ୍କ ଓ ଏଟିଏମ୍‌ର ସିସିଟିଭି ଫୁଟେଜ୍ ଯାଞ୍ଚ ହେଉଛି। ସେପଟେ ପୁଲିସକୁ ଚକ୍‌ମା ଦେଇଥିବା ଖଗେଶ୍ୱର ପାତ୍ରକୁ ଧରି ଗତ ୧୦ ଦିନ ହେଲା ରିମାଣ୍ଡରେ ନେଇ ତଥ୍ୟ ଉଗାଳିଛି ଇଡି।

କାଲି କୋର୍ଟରେ ହାଜର କରି ଇଡି ପୁଣି ରିମାଣ୍ଡ ଆବେଦନ କରିପାରେ। ତା’ ପୂର୍ବରୁ ହନିଟ୍ରାପ୍ ଓ ବ୍ଲାକ୍‌ମେଲିଂ ମାମଲାରେ ଇଡି ୧୨ ଜଣଙ୍କୁ ନୋଟିସ୍ କରିଛି। ତାଲିକାରେ ଅଛନ୍ତି ସିନେ ପ୍ରଯୋଜକ ଅକ୍ଷୟ ପରିଜା, ଏଣ୍ଡେଭର୍ କାର୍ ସୋ ରୁମ୍ ମାଲିକ, ରାଜନେତା, ବ୍ୟବସାୟୀ ଓ ପରିବାର ସଦସ୍ୟ।

ସେପଟେ ଅର୍ଚ୍ଚନା ନାଗ ମାମଲାରେ ଇଡିର ତନାଘନା ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ। ସେ କହିଛନ୍ତି, ଯିଏ ଯେମିତି କର୍ମ କରିଛି, ସେମିତି ଫଳ ପାଇବ। ଇଡି, ସିବିଆଇ ଯାଞ୍ଚ ହେଲେ ନିରପେକ୍ଷ ତଦନ୍ତ ହୁଏ। ପ୍ରମାଣ ପାଇବା ପରେ ତଦନ୍ତ କରୁଛି କେନ୍ଦ୍ରୀୟ ସଂସ୍ଥା। କେନ୍ଦ୍ରମନ୍ତ୍ରୀଙ୍କ ଏହି ବୟାନ ପରେ ତେଜିଛି ରାଜନୀତି। ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ଟୁଡୁଙ୍କ ପ୍ରତିକ୍ରିୟାକୁ ନେଇ ସମାଲୋଚନା କରିଛନ୍ତି। ସେପଟେ ଇଡି ଓ ସିବିଆଇ କ’ଣ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ସାଂସଦ ମୁନା ଖାନ୍।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।