ରାଜଧାନୀରେ ଫାଟିଲା ବିଦ୍ୟୁତ୍‌ ଟ୍ରାନ୍ସଫର୍ମର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ଓମଫେଡ୍ ଅଫିସ୍ ଗେଟ୍ ସମ୍ମୁଖରେ ଆଜି ସକାଳୁ ଏକ ଅଭାବନୀୟ ଘଟଣା ଘଟିଯାଇଛି। ହଠାତ୍‌ ଏକ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଫାଟି ନିଆଁ ବାହାରିବାରୁ ୪ ଜଣ ଗୁରୁତର ହୋଇଛନ୍ତି।  ଗୁରୁତରମାନେ ଏକ ଜଳଖିଆ ଦୋକାନର ମାଲିକ ଓ କର୍ମଚାରୀ ବୋଲି ଜଣାଯାଇଛି। ସେମାନଙ୍କୁ ପ୍ରଥମେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ଏସ୍‌ସିବିକୁ ରେଫର କରାଯାଇଛି।

ସୂଚନାଯୋଗ୍ୟ, ବିଜୟ ବେହେରା ନାମକ ବ୍ୟକ୍ତି  ‌ଟ୍ରାନ୍ସଫର୍ମର  ନିକଟରେ ଏକ ଜଳଖିଆ ଦୋକାନ କରିଥିଲେ। ଏହି ଦୋକାନରେ ତାଙ୍କ ପୁଅ, ଶଢ଼ୁ ଓ ଗାଁର ଜଣେ ଯୁବକ ମଧ୍ୟ କାର୍ଯ୍ୟରତ ଥିଲେ। ଆଜି ସକାଳୁ ଜଳଖିଆ ନିମନ୍ତେ ସମସ୍ତେ ପ୍ରସ୍ତୁତି କାର୍ଯ୍ୟ ଚଳାଇଥିବା ବେଳେ ହଠାତ୍‌ ଭୋର ୫ଟାରେ ଏକ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଏହାପରେ ନିଆଁ ବାହାରି ବିଜୟଙ୍କ ଦୋକାନକୁ ବ୍ୟାପି ଯାଇଥିଲା।

ଆଖି ପିଛୁଳାକେ ନିଆଁ ବ୍ୟାପିଯିବାରୁ ଦୋକାନରେ କାର୍ଯ୍ୟରତ ସମସ୍ତଙ୍କ  ଦେହରେ ନିଆଁ ଲାଗିଯାଇଥିଲା। ସେମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ଓ ଓମଫେଡ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରି ଗୁରୁତରମାନଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ରେଫର କରାଯାଇଛି।  ପୁଲିସ୍ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଛି । 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।