‘ଗୋଟିଏ ମିନିଟ୍‌ ବି ତାକୁ ଆଖି ସାମନାରୁ ଦୂରେଇ ଦେଇ ନ ଥିଲୁ, ହେଲେ…’

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଜିଲ୍ଲା ବାରକୋଟ ବନାଞ୍ଚଳ ବଡତୈଳା ସଂରକ୍ଷିତ ଜଙ୍ଗଲରେ ଗୋଟିଏ ଦନ୍ତାହାତୀର ମୃତ୍ୟୁ ହୋଇଛି । ବ୍ୟବଚ୍ଛେଦ ପରେ ବନ ବିଭାଗ ପକ୍ଷରୁ ମୃତଦେହକୁ ପୋତି ଦିଆଯାଇଛି ।

ଦୁଇଦିନ ତଳେ ହାତୀଟି ଜଙ୍ଗଲକୁ ଆସିଥିଲା। ସେତେବେଳେ ହାତୀଟି ଦୁର୍ବଳ ଥିବା ଜଣାପଡ଼ିବାରୁ ବନ ବିଭାଗ ପକ୍ଷରୁ ତା’ଉପରେ ନଜର ରଖାଯାଇଥିଲା । ଏହାସହ ତା’ର ଚିକିତ୍ସା ଆରମ୍ଭ କରାଯାଇଥିଲା । ତେବେ ଗତକାଲି ମଧ୍ୟାହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ହାତୀଟିର ମୃତ୍ୟୁ ହୋଇଛି ।  ହାତୀଟିକୁ ୮-୧୦ ବର୍ଷ ହୋଇଥିଲା ବୋଲି ଅନୁମାନ କରାଯାଉଛି।

ଠିକ୍‌ ସମୟରେ ଚିକିତ୍ସା କରାଯାଇଥିଲେ ହୁଏତ ହାତୀଟି ବଂଚିଯାଇଥାନ୍ତା ବୋଲି ସ୍ଥାନୀୟ ଲୋକ କହିଛନ୍ତି । ତେବେ ଚିକିତ୍ସାରେ ଅବହେଳାକୁ ବନ ଅଧିକାରୀ ଖଣ୍ଡନ କରିଛନ୍ତି ।

ବାରକୋଟ ଫରେଷ୍ଟ ରେଞ୍ଜ ଅଫିସର ଜୟଶ୍ରୀ ମୁର୍ମୁ କହିଛନ୍ତି, ହାତୀଟିର ଗତିବିଧି ନିରୀକ୍ଷଣ କରି ତା’ ଅବସ୍ଥା ଭଲ ନ ଥିବା ଜାଣିପାରିଲୁ। ଏହାପରେ ତା’ ଉପରେ ନଜର ରଖାଯାଇଥିଲା। ଗୋଟିଏ ମିନିଟ୍ ‌ବି ତାକୁ ଆଖି ସାମ୍ନାରୁ ଦୂରେଇ ଦେଇ ନ ଥିଲୁ। କିନ୍ତୁ ଗତକାଲି ହଠାତ୍‌ ତା ଗତିବିଧି ବହୁତ କମ୍‌ ହୋଇଯାଇଥିଲା। ଏହାପରେ ଓୟୁଏଟି ପ୍ରଫେସରଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସା ଆରମ୍ଭ କଲା ବେଳକୁ ତା’ର ମୃତ୍ୟୁ ହୋଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।