ଏମାର ମଠର ଉଚ୍ଛେଦ ବେଳେ ଠାବ ହେଲା ଭୂତଳ ଘର

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀରେ ଏମାର ମଠ ଉଚ୍ଛେଦ ବେଳେ ଠାବ ହୋଇଛି ୬ ଥାକିଆ ଭୂତଳ ଘର। ମଠର ତଳ ଭାଗରେ ଥିବା ଏହି ଘର ବହୁ ପୁରୁତନ ହୋଇଥିବା ଅନୁମାନ କରାଯାଉଛି। ଏହା ୩ ଶହ ବର୍ଷରୁ ଅଧିକ ପୁରୁଣା ହୋଇଥିବା ଅନୁମାନ କରାଯାଉଛିା ଆଜି ମଠ ଭଙ୍ଗା ଯିବା ବେଳେ ହଠାତ୍ ଏହି ଘରର ସନ୍ଧାନ ମିଳିଛି।

ମିଳିଥିବା ସୂଚନା ମୁତାବକ,  ଏହି ଭୂତଳ ଘରେ ପୂର୍ବରୁ ଖାଦ୍ୟ, ଶସ୍ୟ ସହ ଅନ୍ୟ ମୂଲ୍ୟବାନ ଆବଶ୍ୟକ ପଦାର୍ଥକୁ ଗଚ୍ଛିତ ରଖାଯାଉଥିବା ସୂଚନା ମିଳିଛି। ପୂର୍ବରୁ ଦୁର୍ଭିକ୍ଷ ପଡ଼ିବା ବେଳେ ଏମାର ମଠରେ ଖାଦ୍ୟଶସ୍ୟ ଗଚ୍ଛିତ ରଖାଯାଉଥିଲା। ସେହିପରି ବାହ୍ୟଶତ୍ରୁ ଆକ୍ରମଣ ବେଳେ ମୂଲ୍ୟବାନ ସାମଗ୍ରୀକୁ ଏହି ଭୂତଳ ଘରେ ଲୁଚାଇ ରଖାଯାଉଥିବା ଶୁଣିବାକୁ ମିଳୁଛି। ଆଜି ଏହି ଭୂତଳ ଘରକୁ ଉଚ୍ଛେଦ ପୂର୍ବରୁ ସ୍ନେକ୍ ହେଲପ୍‌ ଲାଇନ୍‌  ସଦସ୍ୟ ପହଞ୍ଚିଥିଲେ।

ବର୍ଷ ବର୍ଷ ଧରି ଏହି ଘରଗୁଡ଼ିକ ପରିତ୍ୟକ୍ତ ହୋଇ ପଡ଼ି ରହିଥିବାରୁ ସାପ ଓ ବହୁ ସଂଖ୍ୟାରେ ଚେମିଣି ଥିବା ଦେଖିବାକୁ ମିଳିଛି। ସେଥିପାଇଁ ଏହି ଘରକୁ ଭଙ୍ଗା ଯିବା ପୂର୍ବରୁ ସ୍ନେକ୍ ହେଲପ ଲାଇନ୍ ସଦସ୍ୟ ଭିତରକୁ ଯାଇଥିଲେ। ବହୁ ପୁରୁଣା ଘର ହୋଇଥିବାରୁ ଆଲୋକ ସଂଯୋଗ ହୋଇନାହିଁ। ଫଳରେ ଭୂତଳ ଘର ସମ୍ପର୍କରେ ସ୍ପଷ୍ଟ ସୂଚନା ହସ୍ତଗତ ହୋଇପାରିନି। ଏମାର ମଠରୁ ଭୂତଳ ଘର ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍କଣ୍ଠା ବଢ଼ିଛି। ବହୁ ସଂଖ୍ୟାରେ ଲୋକେ ଭୂତଳ ଘର ଦେଖିବାକୁ ପହଞ୍ଚୁଛନ୍ତି।

ସୂଚନାଯୋଗ୍ୟ, ଆଜି ସକାଳେ ଏମାର ମଠରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଚାରିତାଲା ବିଶିଷ୍ଟ ମଠର ଉପର ମହଲାରୁ ପ୍ରଥମେ ଉଚ୍ଛେଦ ଆରମ୍ଭ ହୋଇଥିଲା। ଉଚ୍ଛେଦ ସ୍ଥଳରେ ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ଉଚ୍ଚ ଅଧିକାରୀ ଉପସ୍ଥିତ ଥିଲେ।

ଏହା ପୂର୍ବରୁ ଗତକାଲି ମଠ ପରିସରରେ ଥିବା ଦୋକାନ ଏବଂ ମଠର ସମସ୍ତ ସାମଗ୍ରୀ ସ୍ଥାନାନ୍ତର କରାଯାଇଥିଲା। ସେହିପରି ଉଚ୍ଛେଦ ହେବାକୁ ଥିବା ବ୍ରିଟିଶ୍ ଅମଳର ରଘୁନନ୍ଦନ ଲାଇବ୍ରେରୀର ମୂଲ୍ୟବାନ ପୁସ୍ତକ ଓ ନଥିପତ୍ର ସ୍ଥାନାନ୍ତର କାମ ମଧ୍ୟ ସରିଛି।

ଏମାର ମଠ ସହ ଆହୁରି ୭ଟି ପୁରୁଣା ମଠ ଭଙ୍ଗାଯିବାକୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି। ଏମାର ମଠ ପରିସରରେ ଥିବା କର୍ମଚାରୀଙ୍କ ଘର ଉଚ୍ଛେଦ ପରେ ଖୋଲା ଆକାଶ ତଳେ କିଛି ଲୋକେ ଆସବାବପତ୍ର ଧରି ବସି ରହିଥିବା ଦେଖିବାକୁ ମିଳିଥିଲା। ହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ବଗଲା ଧର୍ମଶାଳାରେ ୩ଟି ରୁମରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। କିନ୍ତୁ ସମ୍ପୂର୍ଣ୍ଣ ଥଇଥାନ ଦାବି କରିଛନ୍ତି ଲୋକେ।

କିଛି ବର୍ଷ ପୂର୍ବରୁ ଏମାର ମଠରୁ ବହୁ ସଂଖ୍ୟାରେ ରୁପା ଇଟା ମିଳିଥିବାରୁ ଏହା ସମଗ୍ର ରାଜ୍ୟରେ ଚର୍ଚ୍ଚାର କାରଣ ପାଲଟିଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।