ଦୁଇ ଥର ଆତ୍ମହତ୍ୟା ଉଦ୍ୟମ କଲେ ଗର୍ଭବତୀ ଇଂଜିନିୟରିଂ ଛାତ୍ରୀ!

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଦୁଇ ଦୁଇ ଥର ଆତ୍ମହତ୍ୟା ଉଦ୍ୟମ କଲେ ଇଂଜିନିୟରିଂ ଛାତ୍ରୀ। ଗତକାଲି କିଛି ବଟିକା ଖାଇ ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ। ଆଜି ମେଡିକାଲ୍‌ରୁ ପଳାଇ ଯାଇ ଓଭରବ୍ରିଜ୍‌ରୁ ଡେଇଁବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଘଟଣାଟି ଷ୍ଟିଲ୍‌ ସିଟି ରାଉରକେଲାର।

ପୂରା ଘଟଣାଟି ଏମିତି। ଏହି ଛାତ୍ରୀ ଜଣଙ୍କ ରାଉରକେଲାରେ ଏକ ଇଞ୍ଜିନିୟରିଂ କଲେଜରେ ପଢ଼ନ୍ତି। ଇନଷ୍ଟାଗ୍ରାମ ମାଧ୍ୟମରେ ସେ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ସଂସ୍ପର୍ଶରେ ଆସିଥିଲେ। ପରେ ଦୁହେଁ ପ୍ରେମରେ ପଡ଼ି ଯାଇଥିଲେ। ଛାତ୍ରୀଙ୍କ ପରିବାର ଲୋକେ ଏହାକୁ ବିରୋଧ କରିଥିଲେ। କିନ୍ତୁ ଛାତ୍ରଙ୍କ ପରିବାର ଲୋକଙ୍କର ଏଥିରେ କିଛି ସମସ୍ୟା ନଥିଲା। ସେମାନେ ଉକ୍ତ ଛାତ୍ରୀଙ୍କୁ ବୋହୂ କରିନେବାକୁ ପ୍ରସ୍ତାବ ଦେଇଥିଲେ। ଏହା ପରେ ଛାତ୍ରୀଙ୍କ ପରିବାର ଲୋକେ ଏନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ। ଝିଅକୁ ୧୮ ବର୍ଷ ହେଲା ପରେ ସେ ନିଷ୍ପତ୍ତି ନେଇପାରିବ ବୋଲି ଥାନାରେ ନିଷ୍ପତ୍ତି ହୋଇଥିଲା। ଏନେଇ ଛାତ୍ରୀ ଜଣକ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ସେହି ଅନୁସାରେ ୧୮ ବର୍ଷ ହେଲା ପରେ ୬ ମାସ ତଳେ ଛାତ୍ରୀ ଜଣଙ୍କ ଉକ୍ତ ଯୁବକଙ୍କୁ ବିବାହ କରିଥିଲେ। ବିବାହ ପରେ ଶାଶୁ ଘରେ ରହୁଥିଲେ। ତା’ ସହିତ ପାଠପଢ଼ା ଅବ୍ୟାହତ ରଖିଥିଲେ। ଏପରିକି ସେ ଗର୍ଭବତୀ ଅଛନ୍ତି ବୋଲି ତାଙ୍କ ମାଆ କହିଛନ୍ତି।

ତେବେ କିଛି ଦିନ ହେବ ବିଭିନ୍ନ କାରଣରୁ ସ୍ୱାମୀ-ସ୍ତ୍ରୀ ଓ ପରିବାର ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ହେଉଥିଲା ବୋଲି ଝିଅ ମାଆ ଅଭିଯୋଗ କରିଛନ୍ତି। ଯେଉଁଥିପାଇଁ ଗତକାଲି (ବୁଧବାର) ଝିଅ ମାତ୍ରାଧିକ ବଟିକା ଖାଇ ଦେଇଥିଲା। ପରିବାର ଲୋକେ ତାଙ୍କୁ ଆରଜିଏଚ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା।

କିନ୍ତୁ ଆଜି ସେ ହସ୍ପିଟାଲରୁ ଖସି ପଳାଇ ଯାଇଥିଲେ ଏବଂ ଏସ୍‌ଟିଆଇ ଓଭରବ୍ରିଜରୁ ତଳକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ। କିନ୍ତୁ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ଚିକିତ୍ସା କରିବାକୁ ମନା କରିଦେଇଥିଲେ। ଏହାକୁ ନେଇ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ପରେ ତାଙ୍କୁ ସେଠାରେ ଭର୍ତ୍ତି କରାଯାଇଥିଲା। ଏବେ ସେ ସେଠାରେ ଚିକିତ୍ସିତ ହେଉଛନ୍ତି।

ଏନେଇ ରଘୁନାଥପାଲି ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।