ମୌସୁମୀ ଖେଳୁଛି ଲୁଚକାଳି, କେଉଁଠି ବନ୍ୟା ତ ଆଉ କେଉଁଠି ଶୁଖିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଳମ୍ବରେ ସକ୍ରିୟ ହୋଇଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଲୁଚକାଳି ଖେଳ ଏବେ ଚାଷୀକୁଳକୁ ଚିନ୍ତାରେ ପକାଇଛି। ଟ୍ରଫ ଲାଇନ, ଘୂର୍ଣ୍ଣି ବଳୟ ଓ ଲଘୁଚାପ ପ୍ରଭାବରେ କେଉଁଠି ପ୍ରବଳ ବର୍ଷା ହେଉଛି ତ ଆଉ କେଉଁଠି ଏବେ ବି ପଡ଼ିଆ ଶୁଖିଲା ପଡ଼ିଛି। ଗତ ଦୁଇ ତିନି ଦିନ ହେଲା ଲଗାଣ ବର୍ଷା ଯୋଗୁ ଦକ୍ଷିଣ ଓଡ଼ିଶା ସମେତ ଅନ୍ୟ କିଛି ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିଛି। ମାଲକାନଗିରି ଜିଲ୍ଲାରେ ଶତାଧିକ ଗାଁ […]

erg

erg

Hemant Lenka
  • Published: Monday, 29 July 2019
  • Updated: 29 July 2019, 08:24 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଳମ୍ବରେ ସକ୍ରିୟ ହୋଇଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଲୁଚକାଳି ଖେଳ ଏବେ ଚାଷୀକୁଳକୁ ଚିନ୍ତାରେ ପକାଇଛି। ଟ୍ରଫ ଲାଇନ, ଘୂର୍ଣ୍ଣି ବଳୟ ଓ ଲଘୁଚାପ ପ୍ରଭାବରେ କେଉଁଠି ପ୍ରବଳ ବର୍ଷା ହେଉଛି ତ ଆଉ କେଉଁଠି ଏବେ ବି ପଡ଼ିଆ ଶୁଖିଲା ପଡ଼ିଛି।

ଗତ ଦୁଇ ତିନି ଦିନ ହେଲା ଲଗାଣ ବର୍ଷା ଯୋଗୁ ଦକ୍ଷିଣ ଓଡ଼ିଶା ସମେତ ଅନ୍ୟ କିଛି ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିଛି। ମାଲକାନଗିରି ଜିଲ୍ଲାରେ ଶତାଧିକ ଗାଁ ଲଗାଣ ବର୍ଷା ଯୋଗୁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ତେବେ ବର୍ଷା କମିବାରୁ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। କିନ୍ତୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଠିକ୍‌ ଭାବେ ହେଉ ନଥିବାରୁ ଶହଶହ ଏକର ଚାଷ ଜମି ଶୁଖିଲା ପଡ଼ିଛି।

ଚାଷୀମାନେ ଭଲ ବର୍ଷାକୁ ଅପେକ୍ଷା କରି ରହିଛନ୍ତି। ଅନ୍ୟପକ୍ଷରେ ପାଣିପାଗ ବିଭାଗ ଆଶା ଦେଖାଇଛି ଯେ ସପ୍ତାହେ ଯାଏ ସାରା ରାଜ୍ୟରେ ବର୍ଷା ଲାଗି ରହିବ।

କିଛିଦିନ ଧରି ଲଗାଣ ବର୍ଷା ଫଳରେ ଦକ୍ଷିଣ ଓଡ଼ିଶା ସହିତ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ବନ୍ୟା ଭଳି ସ୍ଥିତି ଉପୁଜିଛି। ମାଲକାନଗିରି ଜିଲ୍ଲାର ପ୍ରାୟ ସବୁ ନଦୀରେ ଜଳସ୍ତର ବଢ଼ିଛି। ପୋଟେରୁ, କାଙ୍କୋରକୋଣ୍ଡା ଓ କୋରକୁଣ୍ଡା ଭଳି ୫-୬ଟି ସ୍ଥାନରେ ପୋଲ ଉପରେ ପ୍ରଖର ସୁଅ ଚାଲିଥିବାରୁ କାଲିମେଳାରୁ ମାଲକାନଗିରି, ପଡ଼ିଆ ଓ ମୋଟୁକୁ ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ଶତାଧିକ ଗାଁ ପ୍ରଭାବିତ ହୋଇଛନ୍ତି। ରାୟଗଡ଼ା ଜିଲ୍ଲାରେ ୨ଟି ସ୍ଥାନରେ କାନ୍ଥ ଭୁଶୁଡ଼ି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି।

ନବରଙ୍ଗପୁରରେ ବିଭିନ୍ନ ଅଞ୍ଚଳକୁ ଯୋଗଯୋଗ ବିଚ୍ଛିନ୍ନ ହେବା ସହ ଘରେ ପାଣି ପଶିଯିବାରୁ ଲୋକେ ଦୟନୀୟ ଅବସ୍ଥାରେ ଅଛନ୍ତି। ସୁବର୍ଣ୍ଣପୁରର ବୀରମହାରାଜପୁର ଘୁଂଘି ଯୋର ପୋଲ ଉପରେ ୪ ଫୁଟ୍ ଉଚ୍ଚ ପାଣି ଚାଲିବାରୁ ରେଢ଼ାଖୋଲ, ଚାରମାଳ ଦେଇ ସମ୍ବଲପୁରକୁ ଯାତାୟତ୍ ଠପ୍ ହୋଇଯାଇଛି।

କନ୍ଧମାଳ ତୁମୁଡ଼ିବନ୍ଧ ନିକଟ ଏନ୍ଏଚ୍‌ରେ ଅସ୍ଥାୟୀ ପୋଲ ଭାଙ୍ଗିଯିବାରୁ ଶତାଧିକ ଗାଡ଼ି ଅଟକି ରହିଥିଲା। ସେପଟେ ଜୀରା ନଦୀରେ ବର୍ଷାପାଣି ଆସିବାରୁ ବରଗଡ଼ ସହର ଓ ଅମ୍ବାପାଲି ରାସ୍ତା ବନ୍ଦ ରହିଛି। କୋରାପୁଟ ବୋରିଗୁମ୍ମା ବ୍ଲକ୍ ମାଲଦାରେ ଏକ ପିକ୍ଅପ୍ ଭ୍ୟାନ୍ ଭାସିଯାଇଥିବା ବେଳେ, ଜିଲ୍ଲାର ମାଛକୁଣ୍ଡ ଜଳଭଣ୍ଡାରରେ ବର୍ଷାଜଳ ନିଷ୍କାସନ ପାଇଁ ୩ଟି ଗେଟ୍ ଖୋଲାଯାଇଛି। କୋରାପୁଟ, ମାଲକାନଗିରି, ନବରଙ୍ଗପୁରରେ ଆହୁରି ୨୪ ଘଣ୍ଟା ଯାଏ ବର୍ଷା ଜାରି ରହିବ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର।

କିଛି ଜିଲ୍ଲାରେ ଏପରି ସ୍ଥିତି ହୋଇଥିଲେ ହେଁ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଚାଷୀ ଏବେବି ବର୍ଷା ଆଶାରେ ରହିଛି। ଲଘୁଚାପରୁ ସାମାନ୍ୟ ବର୍ଷା ହୋଇଥିଲେ ବି ତାହା ଶୁଖିଲା ଜମି ପାଇଁ ସମୁଦ୍ରକୁ ଶଙ୍ଖେ ଭଳି।

ନୂଆପଡ଼ା ଜିଲ୍ଲା କୋମନାରେ ତଳି ଶୁଖି ଯାଉଥିବାରୁ ସଂପୂର୍ଣ୍ଣ କୋମନା ବ୍ଲକକୁ ମରୁଡ଼ି ଘୋଷଣା ଦାବିରେ ସ୍ଥାନୀୟ ବିଜେପି ଶାଖା ପକ୍ଷରୁ ତହସିଲ ଅଫିସ୍ ଘେରାଉ କରାଯାଇଥିଲା। କେବଳ ପଶ୍ଚିମ ଓଡ଼ିଶା ନୁହେଁ, ଆଭ୍ୟନ୍ତରୀଣ ଓ ଉପକୂଳବର୍ତ୍ତୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ବି ସମାନ ସ୍ଥିତି।

ତେବେ ସକ୍ରିୟ ମୌସୁମୀ ସହ ଟ୍ରଫ ଲାଇନ୍ ଓ ଘୂର୍ଣ୍ଣିବଳୟ ଯୋଗୁ ଅଗଷ୍ଟ ପହିଲାରୁ ସାରା ରାଜ୍ୟରେ ବେଶ କିଛି ଦିନ ଧରି ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍ଆର ବିଶ୍ୱାସ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos