ସମସ୍ତେ ଚାଲିଗଲେ, ଜୀବନ ସଂଘର୍ଷରେ ଜିତିଲେ ଲିଲି

ଝାରସୁଗୁଡା(ଭାଗିରଥୀ ସାହୁ): କଥା ଥିଲା, ଯଦି ବଞ୍ଚିବା ଏକାସାଙ୍ଗରେ, ଯଦି ମରିବା ଏକାସାଙ୍ଗରେ। ହେଲେ ବିଧିର ବିଧାନ ଏପରି ଥିଲା ଯେ ପରିବାରର ବଡ଼ ଝିଅ ଲିଲି ବିଶ୍ୱାଳ କେବଳ ବଞ୍ଚିଗଲେ। ଝାରସୁଗୁଡ଼ା ଲହଣ୍ଡାବୁଡ଼ରେ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ପରେ ଜୀବନ ସହ ସଂଘର୍ଷ କରି ବଞ୍ଚି ଯାଇଛନ୍ତି ପରିବାରର ବଡ଼ ଝିଅ ଲିଲି।

ମୃତ୍ୟୁ ସହ ଲଢ଼ିବା ପରେ ଏବେ ସେ ତାଙ୍କ ପୈତୃକ ଗାଁ ଗଞ୍ଜାମ ଜିଲ୍ଲା ଲକ୍ଷ୍ମୀପୁରରେ ରହିବେ। ସୋମବାର ସେହେଡା ନାମକ ସ୍ୱେଚ୍ଛାସେବୀ ସଂଗଠନର ଏକ ପ୍ରତିନିଧି ଟିମ୍ ଲିଲିଙ୍କୁ ତାଙ୍କ ପୈତୃକ ଗ୍ରାମରେ ପହଞ୍ଚାଇଥିଲେ। ଏନେଇ ଝାରସୁଗୁଡ଼ା ଜିଲ୍ଲାପାଳ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଗତ ମେ ୩୧ ତାରିଖରେ ଝାରସୁୁଗୁଡ଼ା ଜିଲ୍ଲା ଲହଣ୍ଡାବୁଡ଼ଠାରେ ଘଟିଥିବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା। ଦୁର୍ଘଟଣାରେ ଏକ ମାତ୍ର ପୁଅ ଦୀପକର ମୃତ୍ୟୁର ଦୁଃଖରେ ମ୍ରିୟମାଣ ହୋଇ ମା’ ଓ ଭଉଣୀ ଫିନାଇଲ୍‌ ପିଇ ଦେଇଥିଲେ।

ଏହାପରେ କିଛି ଦିନ ଭିତରେ ୨ ଭଉଣୀ ଓ ମା’ ଜଣ ଜଣ କରି ଆରପାରିକୁ ଚାଲି ଯାଇଥିଲେ। ହେଲେ ସେମାନଙ୍କ ଭିତରୁ ବଞ୍ଚିଯାଇଥିଲେ ବଡ଼ ଭଉଣୀ ଲିଲି। ଦୀର୍ଘ ୫ ମାସ ଧରି ଜୀବନ ସହ ସଂଘର୍ଷ କରିବା ପରେ ଏବେ ଲିଲି ସୁସ୍ଥ ହୋଇଛନ୍ତି। ଗତ ସୋମବାର ଦିନ ସେ ପୈତୃକ ଗାଁ ଗଞ୍ଜାମ ଜିଲ୍ଲା ଲକ୍ଷ୍ମୀପୁରକୁ ଫେରିଛନ୍ତି। ଏବେ ସେ ଶପଥ ନେଇଛନ୍ତି ଯେ ‘ନିଜେ ବଞ୍ଚିବେ ଓ ନିଜ ପୈତୃକ ଗାଁରେ ରହିବେ। ପୂର୍ବରୁ ଅର୍ଥାତ ୨୦୧୫ ମସିହାରେ ଦୀପକଙ୍କ ବାପା ଆରପାରିକୁ ଚାଲି ଯାଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।