ଶିଶୁର ମୃତଦେହ ଝୁଣି ଖାଇଲା କୁକୁର

ବଲାଙ୍ଗିର (ମନୋରଞ୍ଜନ ଯୋଶୀ): ଗୋଟିଏ କୁକୁର ବଲାଙ୍ଗିରର ଭୀମଭୋଇ ମେଡିକାଲ୍‌ କଲେଜ ଓ ହସପିଟାଲ୍‌ ପରିସରରୁ ଏକ ଶିଶୁର ମୃତଦେହକୁ ଆଣି ରାସ୍ତା ଉପରେ ଝୁଣି ଖାଉଥିବା ଆଜି ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଏହା ଦେଖି କୁକୁର ମୁହଁରୁ ମୃତଦେହଟିକୁ ଆଣିବାକୁ ଚେଷ୍ଟା କରିଥିଲେ। ତେବେ ସେଠାରେ ଆଉ କିଛି କୁକୁର ପହଞ୍ଚି ମୃତଦେହକୁ ଝୁଣି ଖାଇ ଦେଇଥିଲେ।

ଆଜି ସକାଳ ପ୍ରାୟ ୮ଟା ବେଳେ ଏହି ଘଟଣା ଘଟିଥିଲା। ସ୍ଥାନୀୟ ଲୋକେ ଘଟଣାର ତଦନ୍ତ କରିବାକୁ ଦାବି କରିଛନ୍ତି।

ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି,“ ମେଡିକାଲ ଛକରେ ମୁଁ ମୋ ବନ୍ଧୁମାନଙ୍କ ସହ କଥାବାର୍ତ୍ତା ହେଉଥିବା ବେଳେ କୁକୁରଟିଏ ଏକ ଶିଶୁର ମୃତଦେହ ଧରି ଦୌଡୁଥିଲା। ଏହା ଦେଖି ଆମେ କୁକୁରର ପିଛା କରିଥିଲୁ। ହେଲେ ଶିଶୁଟି ବଞ୍ଚିଛି କି ନାହିଁ ଆମେ ଜାଣିପାରି ନଥିଲୁ। କୁକୁର ମୁହଁରୁ ମୃତଦେହ ଛଡ଼ାଇବାକୁ ବହୁତ ଚେଷ୍ଟା କରିଥିଲୁ। ହେଲେ ଛଡ଼ାଇ ପାରି ନଥିଲୁ। ମେଡିକାଲରେ ସିସିଟିଭି ଓ ସିକ୍ୟୁରିଟି ଗାର୍ଡ ଥାଇ ଏପରି ଘଟଣା ଘଟିବା ଅତ୍ୟନ୍ତ ଦୁଃଖର କଥା।”

ତେବେ ଏନେଇ ମେଡିକାଲ୍ କଲେଜ୍ ଓ ହସ୍‌ପିଟାଲ୍ କର୍ତ୍ତୃପକ୍ଷ କିମ୍ବା ପୁଲିସ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ।