ପୁରୀ ହାଜତ ମୃତ୍ୟୁ ଅଭିଯୋଗ ମାମଲା: ରାଜ୍ୟ ସରକାରଙ୍କୁ ନୋଟିସ୍ କଲେ NHRC

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁରୀ ହାଜତ ମୃତ୍ୟୁ ଅଭିଯୋଗକୁ ନେଇ ବିବାଦ ଦେଖା ଦେଇଛି। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ମଣିପୁର ପ୍ରଭାରୀ ସମ୍ବିତ ପାତ୍ରଙ୍କ ଅପିଲ୍ ପରେ ଏବେ ଜାତୀୟ ମାନବାଧିକାର କମିଶନ (NHRC) ଏହି ମାମଲାରେ ରାଜ୍ୟ ସରକାରଙ୍କୁ ନୋଟିସ୍ କରିଛନ୍ତି। NHRC ମୁଖ୍ୟ ଶାସନ ସଚିବ ଓ ପୁଲିସ୍ ଡିଜିଙ୍କୁ ମଧ୍ୟ ନୋଟିସ୍ କରିଛନ୍ତି। ମୃତ୍ୟୁର କାରଣକୁ ନେଇ ୪ ସପ୍ତାହ ଭିତରେ ସବିଶେଷ ରିପୋର୍ଟ ଦାଖଲ କରିବାକୁ NHRC ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି NHRC ଅଭିଯୋଗ ଏବଂ ଅଭିଯୁକ୍ତ ନାଁରେ ଦାୟର ଏତଲା କପି, ଗିରଫ ମେମୋ, ଇନ୍ସପେକ୍ସନ ମେମୋ କପି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗିରଫ ନେଇ ପରିବାରକୁ ଜଣାଯାଇଥିଲା କି ନାହିଁ ସେ ସମ୍ବନ୍ଧରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି NHRC।

ଏହାଛଡ଼ା ମୃତକଙ୍କ ମେଡିକାଲ ଲିଗାଲ ସାର୍ଟିଫିକେଟ୍ କପି, ପଞ୍ଚନାମା, ପୋଷ୍ଟମର୍ଟମ ଓ ଏହାର ଭିଡିଓ କ୍ୟାସେଟ, ଭିସେରା, ମୃତ୍ୟୁର କାରଣ ନେଇ ଫୋରେନ୍ସିକ୍ ରିପୋର୍ଟ ଏବଂ ମାଜିଷ୍ଟେରିଆଲ ତଦନ୍ତ ରିପୋର୍ଟ ଦେବାକୁ ମଧ୍ୟ NHRC ନିର୍ଦ୍ଦେଶ ଦେଇଛନ୍ତି।

ଏହା ପୂର୍ବରୁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ମଣିପୁର ପ୍ରଭାରୀ ସମ୍ବିତ ପାତ୍ର ପୁରୀ ହାଜତ ମୃତ୍ୟୁ ଅଭିଯୋଗ ନେଇ NHRC ନିକଟରେ ହାଜର ହୋଇଥିଲେ। ସମ୍ବିତ କହିଛନ୍ତି, ହାଜତ ମୃତ୍ୟୁ ପରେ ପୁଲିସ ଅମାନବୀୟ ଭାବେ ସଂସ୍କାର କରିଦେଲା। ବାପା, ମା’ଙ୍କୁ ଉଠାଇ ନେଇ ପୁଲିସ କେଉଁଠି ରଖିଛି ଜଣାନାହିଁ। ମୃତକଙ୍କ ବାପା, ମା’ଙ୍କ ସାମ୍ବିଧାନିକ ଅଧିକାର କ୍ଷୂଣ୍ଣ ହୋଇଛି।

ସୂଚନା ମୁତାବକ ଗୁରୁବାର ପୁଲିସ୍ ହେପାଜତରେ ପୁରୀ ବୀରମିତ୍ରପୁରର କେ.ରମେଶ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ପୁଲିସ ଥାର୍ଡ ଡିଗ୍ରୀ ଯୋଗୁଁ ରମେଶର ମୃତ୍ୟୁ ହୋଇଥିବା ଅଭିଯୋଗ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା। ଜଣେ ସିଟିଂ ଜଜ୍ ଦ୍ୱାରା ବିଚାର ବିଭାଗୀୟ ତଦନ୍ତ ଦାବି କରାଯାଇଥିଲା। ଏସ୍‌ପି କହିଥିଲେ, NHRC ଗାଇଡ୍ ଲାଇନ୍ ଅନୁସାରେ ଘଟଣାର ତଦନ୍ତ ହେବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।