ଉତ୍କଟ ସ୍ଥିତିରେ ମହାନଦୀର ଜଳ ପ୍ରଦୂଷଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଗଙ୍ଗା ନଦୀ ଭଳି କାବେରୀ, ପେରିଆର୍‌, ନର୍ମଦା, ଯମୁନା, ମହାନଦୀ, ଗୋଦାବରୀ ନଦୀଗୁଡ଼ିକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ସରକାର ଉଦ୍ୟମ କରନ୍ତୁ।” ଗତକାଲି ସଂସଦରେ ମିଳିତ ଅଧିବେଶନକୁ ସମ୍ବୋଧନ ବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହା କହିଛନ୍ତି। ଏହା ପରେ ଚର୍ଚ୍ଚାକୁ ଆସିଛି ମହାନଦୀରେ ପ୍ରଦୂଷଣ ପ୍ରସଙ୍ଗ। ଶିଳ୍ପ, ଡ୍ରେନ୍‌ ଓ ନାଳନର୍ଦ୍ଦମାର ପାଣି ସିଧାସଳଖ ନଦୀରେ ମିଶୁଥିବାରୁ ଉତ୍କଟ ସ୍ଥିତିରେ ପହଞ୍ଚିଛି ପ୍ରଦୂଷଣ ମାତ୍ରା। ଏହାର ପ୍ରମାଣ ସମ୍ୱଲପୁର ଓ ଝାରସୁଗୁଡ଼ାରେ ଦେଖିବାକୁ ମିଳିଛି। ଯାହାକୁ ନେଇ ପରିବେଶବିତ ଚିନ୍ତିତ। ଅନ୍ୟପକ୍ଷରେ ନଦୀ ପାଶ୍ୱବର୍ତ୍ତୀ ଲୋକଙ୍କ ଦୁଃଖ ବଢ଼ି ବଢ଼ି ଯାଉଛି।

ସମ୍ବଲପୁର ସହରରୁ ନିର୍ଗତ ହେଉଥିବା ନର୍ଦ୍ଦମା ପାଣି ସିଧା ଯାଇ ମହାନଦୀରେ ମିଶୁଛି। ଯାହାଫଳରେ ନଦୀ ଜଳ ପ୍ରଦୂଷଣ ହେଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନଦୀକୁ ଯିବା ପୂର୍ବରୁ ନର୍ଦ୍ଦମା ପାଣି ଟ୍ରିଟ୍‌ମେଣ୍ଟ କରିବା ପ୍ରତି ପ୍ରଶାସନ ତିଳେ ମାତ୍ର ଧ୍ୟାନ ଦେଉନି।

ମହାନଦୀ ପରି ଭେଡେନ୍‌ ନଦୀର ସ୍ଥିତି ସମାନ। ଝାରସୁଗୁଡା ଜିଲ୍ଲାରେ ପ୍ରବାହିତ ଏହି ନଦୀରେ ମିଶୁଛି ଭୂଷଣ ଓ ବେଦାନ୍ତ ଭଳି ବଡ଼ ବଡ଼ କାରଖାନାରୁ ବାହାରୁଥିବା ବର୍ଜ୍ୟବସ୍ତୁ। ଯାହାଫଳରେ ପାଣି ଦୂଷିତ ହେଉଛି। କିଛି ଦିନ ତଳେ ଭେଡେନର ଜଳଧାରାରେ ପ୍ରଦୂଷଣ ମାତ୍ରା ଏତେ ବଢ଼ି ଯାଇଥିଲା ଯେ ନଦୀରେ ମାଛ ମଡ଼କ ଦେଖିବାକୁ ମିଳିଥିଲା। ତେବେ ଭେଡେନ୍ ନଦୀ ହୀରାକୁଦର ଉପର ମୁଣ୍ଡରେ ଥିବାରୁ ସିଧାସଳଖ ପ୍ରଦୂଷିତ ହେଉଛି ଜଳଭଣ୍ଡାରର ଜଳ। ଯାହା ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି।

କେବଳ ସମ୍ବଲପୁର କି ଝାରସୁଗୁଡ଼ା ନୁହେଁ। ରାଜ୍ୟରେ ପ୍ରବାହିତ ବଡ଼ ବଡ଼ ନଦୀର ୧୯ଟି ସ୍ଥାନକୁ ଅତି ପ୍ରଦୂଷିତ ଭାବେ ଚିହ୍ନଟ କରାଯାଇଛି। ଏଥିରେ ମହାନଦୀ ସିଷ୍ଟମ୍‌ରେ ୧୧ଟି ସ୍ଥାନ ରହିଛି। ଗଙ୍ଗୁଆ, ଦୟା, କାଠଯୋଡ଼ି, କୁଆଖିଆ, ଲୁଣୀ ଭଳି ନଦୀର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳ ପ୍ରଦୂଷିତ ହୋଇଥିବା ବେଳେ ମହାନଦୀ କିନ୍ତୁ ସମ୍ବଲପୁରରୁ ପାରାଦୀପ ଯାଏ ପୂରା ବିଷାକ୍ତ ହୋଇଯାଇଛି ବୋଲି କୁହାଯାଉଛି। ତେବେ ଗଙ୍ଗୁଆରେ ପ୍ରଦୂଷଣ ମାତ୍ରା ସବୁଠୁ ଅଧିକ ଥିବା ଜଣାପଡ଼ିଛି। ନଦୀ ପ୍ରଦୂଷଣକୁ ନେଇ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ୍‌ଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଛନ୍ତି। ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆକ୍‌ସନ ଟେକେନ ରିପୋର୍ଟ ପ୍ରଦାନ କରିବେ।