ଆପଣ ବ୍ୟବହାର କରୁଥିବା ସୁନା ଅସଲିତ? ଜାଣନ୍ତୁ କେମିତି ହୁଏ ଅଭିନବ ଉପାୟରେ ଠକେଇ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଥାରେ ଅଛି “ଗୁଣ ଚିହ୍ନେ ଗୁଣିଆ, ସୁନା ଚିହ୍ନେ ବଣିଆ।” ମାତ୍ର ଆଜି ସେହି ବଣିଆ ଧୋକ୍କା ଖାଇଯାଇଛି। ଜଣେ ଠକ ପିତଳ ଉପରେ ସୁନା ପାଣି ଲେପ ଦେଇଥିବାରୁ ବଡ଼ବଡ଼ ବଣିଆ ଠକି ଯାଇଥିଲେ। ଏପରି ଅଭିଯୋଗ ରାଜଧାନୀ ଭୁବନେଶ୍ୱରରୁ ଆସିଛି। ଅଭିଯୋଗ ହେବା ପରେ କମିଶନରେଟ୍‌ ପୋଲିସ ଠକକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ହେଉଛି କଟକ ବାଙ୍କୀ ଅଞ୍ଚଳର ଗୁଣ୍ଡିଚା କର। ପୋଲିସ ତା’ ନିକଟରୁ ୩୦ ଗ୍ରାମର ନକଲି ସୁନା ମଧ୍ୟ ଜବତ କରିଛି।

ଅଭିଯୁକ୍ତ ଜଣକ ପିତ୍ତଳ ଉପରେ ଦେଉଥିଲା ସୁନା କୋଟିଂ। ଯାହାକୁ ପ୍ରଥମ ଯାଞ୍ଚରେ ଗହଣା ବ୍ୟବସାୟୀଙ୍କ ଆଖିରେ ଧରା ପଡ଼ୁନଥିଲା। ଏହାର ଫାଇଦା  ନେଇ ସେ ଏକାଧିକ ଗହଣା ଦୋକାନୀଙ୍କୁ ନକଲି ସୁନା ଦେଇ ଅସଲି ସୁନା ନେଇଥିଲା। ଅନେକ ଜାଗାରୁ ଖସି ପଳାଇବାରେ ସକ୍ଷମ ମଧ୍ୟ ହୋଇଥିଲା। ତେବେ ଜଣେ ପ୍ରତିଷ୍ଠିତ ଦୋକାନର ଲୋଗୋ ନକଲ କରିଥିବାରୁ ସନ୍ଦେହ ଘେରକୁ ଆସିଥିଲା ଅଭିଯୁକ୍ତ ଗୁଣ୍ଡିଚା କର। ଏହା ପରେ ସେହି ବ୍ରାଣ୍ଡର ସୁନାକୁ ଅନ୍ୟ ଏକ ଗହଣା ଦୋକାନୀକୁ ବିକିବାକୁ ଚେଷ୍ଟା କରିବା ବେଳେ ଧରାପଡ଼ିଥିଲା। ଖାରବେଳ ନଗର ପୋଲିସ ଘନ ଘନ ପଚରା ଉଚରା କରିବା ପରେ ପୂରା ଘଟଣା ଉପରୁ ଉଠିଥିଲା ପର୍ଦ୍ଦା।