'ଫୋନି'କୁ ନେଇ ବଢୁଛି ଆଶଙ୍କା ଓ ଭୟ

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ଫୋନି’ ଅତି ଭୟଙ୍କର ରୂପ ଧାରଣ କରି ଓଡ଼ିଶାର ନିକଟତର ହେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ଖବର ଅନୁଯାୟୀ ଫୋନି ପୁରୀ ଠାରୁ ୫୭୦ କିମି ଓ ବିଶାଖାପଟନମଠାରୁ ୩୨୦ କିମି ଦୂରରେ ରହିଛି। ଫୋନି ଆଜି ରାତି ୧୨ ଯାଏ ଆନ୍ଧ୍ର ଉପକୂଳ ଦେଇ ଗତି କରିବା ପରେ ଓଡ଼ିଶା ମୁହାଁ ହୋଇଛି। ଫୋନି ଭୀଷଣ ରୂପ ଧାରଣ କରି ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ପୁରୀରେ ଲ୍ୟାଣ୍ଡଫଲ୍‌ […]

sx

sx

Hemant Lenka
  • Published: Wednesday, 01 May 2019
  • Updated: 01 May 2019, 09:34 PM IST

Sports

Latest News

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ 'ଫୋନି' ଅତି ଭୟଙ୍କର ରୂପ ଧାରଣ କରି ଓଡ଼ିଶାର ନିକଟତର ହେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ଖବର ଅନୁଯାୟୀ ଫୋନି ପୁରୀ ଠାରୁ ୫୭୦ କିମି ଓ ବିଶାଖାପଟନମଠାରୁ ୩୨୦ କିମି ଦୂରରେ ରହିଛି। ଫୋନି ଆଜି ରାତି ୧୨ ଯାଏ ଆନ୍ଧ୍ର ଉପକୂଳ ଦେଇ ଗତି କରିବା ପରେ ଓଡ଼ିଶା ମୁହାଁ ହୋଇଛି। ଫୋନି ଭୀଷଣ ରୂପ ଧାରଣ କରି ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ପୁରୀରେ ଲ୍ୟାଣ୍ଡଫଲ୍‌ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଏହି ସମୟରେ ପବନର ଘଣ୍ଟାପ୍ରତି ବେଗ ୧୭୦ରୁ ୧୮୦ କିମି ରହିବ। ସେହିପରି ବେଳେ ବେଳେ ପବନର ବେଗ ୨୦୫ କିମି ରହିବ।

ଯଦି ପାଣିପାଗ ବିଭାଗର ଏଭଳି ଆକଳନ ସତ ହୁଏ, ତା’ହେଲେ ଫୋନି ପ୍ରଭାବରେ ପୁରୀ ଏବଂ ଏହାର ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିବ। ଏହାକୁ ଦୃଷ୍ଟିରେ ରଖି ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏନ୍‌ଡିଆରଏଫ୍‌ ଠାରୁ ଆରମ୍ଭ କରି ନୌସେନାକୁ ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରଖାଯାଇଛି।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନ୍‌ ଅନୁସାରେ, ଆଜି ଦିନ ୧୧.୩୦ରେ ଫୋନି ଭୟଙ୍କର ବାତ୍ୟାରେ ପରିଣତ ହୋଇଥିଲା। ପ୍ରଥମେ ଏହା ଆନ୍ଧ୍ର ଉପକୂଳ ଆଡ଼େ ମୁହାଁଇଥିଲା। ଏହାର ପ୍ରଭାବରେ ଆନ୍ଧ୍ର ଉପକୂଳରେ ପ୍ରବଳ ବର୍ଷା ହୋଇଛି। ଏଥିପାଇଁ ଶ୍ରୀକାକୁଲମରେ ରେର୍ଡ ଆଲର୍ଟ ମଧ୍ୟ ଜାରି କରାଯାଇଛି। ଫୋନି ପ୍ରଭାବରେ ଆନ୍ଧ୍ରରେ ଘଣ୍ଟାପ୍ରତି ୧୨୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି। ଫୋନି ଏବେ ଘଣ୍ଟାକୁ ୬ କିଲୋମିଟର ବେଗରେ ଆଗକୁ ବଢୁଛି। ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଉତ୍ତର ପୂର୍ବ ଦିଗରେ ଗତି କରିବା ସହ ଓଡ଼ିଶା ମୁହାଁ ହେବ।

ଫୋନି ଗୋପାଳପୁର-ଚାନ୍ଦବାଲି ମଧ୍ୟରେ ଓଡ଼ିଶା ଉପକୂଳ ଅତିକ୍ରମ କରିବ। ତେବେ କେଉଁଠି ଲ୍ୟାଣ୍ଡଫଲ କରିବ, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଅନ୍ୟପକ୍ଷରେ ଆମେରିକା ପାଣିପାଗ ସଂସ୍ଥା ଜଏଣ୍ଟ ଟାଇଫୁନ ୱାର୍ଣ୍ଣି ସେଣ୍ଟରର ଆକଳନ ଅନୁଯାୟୀ, ଫୋନି ୩ ତାରିଖ ମଧ୍ୟାହ୍ନରେ ପୁରୀ ଉପକୁଳ ବାଲୁଖଣ୍ଡ ଅଞ୍ଚଳରେ ଲ୍ୟାଣ୍ଡଫଲ୍‌ କରିବ। ବାଲୁଖଣ୍ଡ ଅଞ୍ଚଳ କହିଲେ ପୁରୀ ପେଣ୍ଠକଟା ଠାରୁ ବେଲେଶ୍ୱର ପର୍ଯ୍ୟନ୍ତ ଲମ୍ବିଛି। ଯଦି ଏହି ଅଞ୍ଚଳରେ ଫୋନି ଲ୍ୟାଣ୍ଡଫଲ୍‌ କରୁଛି, ତା’ହେଲେ ସାଧାରଣ ଲୋକଙ୍କ ସହ ବନଖଣ୍ଡ ଅଞ୍ଚଳରେ ରହିଥିବା ୪ ହଜାରୁ ଅଧିକ ବାଲି ହରିଣ ଏବଂ ବନ୍ୟଜନ୍ତୁ ମଧ୍ୟ କ୍ଷତିଗ୍ରସ୍ତ ହେବେ। ଫୋନି ପୁରୀ ଦେଇ ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ ଦେଇ ପଶ୍ଚିମବଙ୍ଗକୁ ଗତି କରିବ।

ଫୋନି ପ୍ରଭାବରେ ଆଜି ରାତିରୁ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି। ଏହା ସହ ଘଣ୍ଟାକୁ ୪୦ରୁ ୫୦ କିଲୋମିଟର ବେଗରେ ପବନ ବୋହିବ। ଆସନ୍ତାକାଲିଠାରୁ ଧୀରେଧୀରେ ପବନ ଓ ବର୍ଷାର ପରିମାଣ ବୃଦ୍ଧି ପାଇବ। ପବନର ବେଗ କ୍ରମଶଃ ବଢ଼ି ୬୦ରୁ ୭୦ କିଲୋମିଟର ହେବ। ୩ ତାରିଖ ସକାଳୁ ପୁରୀରେ ପ୍ରବଳ ବର୍ଷା ଆରମ୍ଭ ହେବ। ଲ୍ୟାଣ୍ଡଫଲ ବେଳେ ଫୋନି ପ୍ରଭାବରେ ଘଣ୍ଟାପ୍ରତି ୧୭୦ରୁ ୧୮୦ କିଲୋମିଟର ବେଗରେ ପବନ ବୋହିବ।

୩ ଓ ୪ ତାରିଖରେ ଗଞ୍ଜାମ, ଗଜପତି, ରାୟଗଡ଼ା, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର, କଟକ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର, ମୟୂରଭଞ୍ଜ,ଅନୁଗୋଳ, ଢେଙ୍କାନାଳ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବ। ସେହିପରି ଅନ୍ୟ ଜିଲ୍ଲାଗୁଡିକରେ ବି ବର୍ଷା ସମ୍ଭାବନା ରହିଛି। ବର୍ଷା ଓ ବାତ୍ୟା ଯୋଗୁ ଗଞ୍ଜାମ, ଗଜପତି, ରାୟଗଡ଼ା,ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ବେଶୀ କ୍ଷୟକ୍ଷତି ହେବାର ଆଶଙ୍କା କରାଯାଉଛି।

କଚ୍ଚା ଓ ପୁରୁଣା ଛାତ ଘରକୁ ବି ବିପଦ ରହିଛି। ଗଛ ଓ ବିଦ୍ୟୁତ ଖୁଣ୍ଟି ଉପୁଡିବା ସହ ରେଳ ଲାଇନ ଓ ସଡ଼କ ଧୋଇଯିବା ଆଶଙ୍କା ରହିଛି। ପନିପରିବା ଓ ଅନ୍ୟ ଫସଲକୁ ବି ବ୍ୟାପକ କ୍ଷତି ହେବା ନେଇ ପାଣିପାଗ ବିଭାଗ କହିଛି।

ବାତ୍ୟା ଯୋଗୁ ସମୁଦ୍ର ଅଶାନ୍ତ ରହିବା ସହ ଦେଢ଼ ମିଟର ଉଚ୍ଚର ଜୁଆର ମାଡ଼ି ଆସିପାରେ। ଏହାଦ୍ୱାରା ଗଞ୍ଜାମ, ଖୋର୍ଦ୍ଧା, ଜଗତସିଂହପୁର ଓ ପୁରୀ ଜିଲ୍ଲାର ସମୁଦ୍ର କୂଳିଆ ଅଞ୍ଚଳ ଜଳାର୍ଣ୍ଣବ ହେବା ଆଶଙ୍କା କରାଯାଉଛି। ଅନ୍ୟପକ୍ଷରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମାଛ ଧରିବାକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି। ତେବେ ୪ ତାରିଖ ପରେ ଫୋନିର ପ୍ରଭାବ ହ୍ରାସ ପାଇବ ଓ ଏହା ଦୁର୍ବଳ ହୋଇଯିବ ବୋଲି ପାଣିପାଗ ବିଭାଗ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos