ନା ପେଡାଲ, ନା ଇଞ୍ଜିନ ସମସ୍ୟା: ଏକ୍ସିଲେଟର ମୋଡ଼ିଲେ ଚାଲୁଛି ଦିଲ୍ଲୀପଙ୍କ ସାଇକେଲ

ବୌଦ୍ଧ( ଭାର୍ଜନ କୁମାର ପ୍ରଧାନ):କୌଣସି ଇଂଜିନିୟର ବା ମେକାନିକ୍ ନୁହଁନ୍ତି, ଜଣେ ଚାଷୀ ନିଜସ୍ୱ ବୁଦ୍ଧିରେ ତିଆରି କରିଛନ୍ତି ଏକ ଏଭଳି ବ୍ୟାଟେରୀ ଚାଳିତ ସାଇକେଲ ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ପରିବେଶ ଅନୁକୂଳ ସହ କମ୍ ଖର୍ଚ୍ଚରେ ବାଇକ୍ ଭଳି ସବୁ ସୁବିଧା ରହିଛି ଏହି ବ୍ୟାଟେରୀ ସାଇକେଲରେ। ଏକ୍ସିଲେଟର ମୋଡ଼ିଲେ ଚାଲୁଛି ସାଇକେଲ।

ନା ପେଡାଲ ମାରିବାକୁ ପଡୁଛି ନା ଇଞ୍ଜିନ ସମସ୍ୟା ରହିଛି। କୌଣସି ଇନ୍ଧନର ଦରକାର ବି ନାହିଁ। ପେଟ୍ରୋଲ ଦର ବୃଦ୍ଧି ହେଲେ ବି ଚିନ୍ତା ନାହିଁ। ଥରେ ଚାର୍ଜ କଲେ ଏହି ସାଇକେଲଟି ପ୍ରାୟ ୮୦ କି.ମି ଯାଏ ଯାଇପାରୁଛି। ଏହାସହିତ ରାତିରେ ଚଲେଇବା ପାଇଁ ହେଡଲାଇଟ୍ ଓ ବ୍ୟାକ୍ ଲାଇଟ ସୁବିଧା ବି ରହିଛି। ତେବେ ଏହାକୁ କୌଣସି ଇଂଜିନିୟର ନୁହଁନ୍ତି ବରଂ ନିଜସ୍ୱ ବୁଦ୍ଧିରେ ନିର୍ମାଣ କରିଛନ୍ତି ବୌଦ୍ଧ ଜିଲ୍ଲା ବାମଣ୍ଡା ଗାଁର ଜଣେ ଚାଷୀ ଦିଲ୍ଲୀପ କୁମାର ମହାପାତ୍ର। କମ୍‌ ଖର୍ଚ୍ଚରେ କିଭଳି ଜଣେ ବାଇକ୍ ଭଳି ସୁବିଧା ପାଇପାରିବ, ସେନେଇ ଅନେକ ଦିନରୁ ଉଦ୍ୟମ ଚଳାଇଥିଲେ ଦିଲ୍ଲୀପ। ବର୍ତ୍ତମାନ ସୁଦ୍ଧା ୩ଟି ସାଇକେଲ ତିଆରି କରି ବିକ୍ରି ବି କରିସାରିଲେଣି ସେ।

ପ୍ରାୟ ୧୦ ହଜାର ଟଙ୍କାରେ ଦିଲ୍ଲୀପ ଏହି ବ୍ୟାଟେରି ଚାଳିତ ସାଇକେଲ ତିଆରି କରିଛନ୍ତି। ତେବେ ଏଥିରେ କେବଳ ଯେ ବାଇକ ଭଳିଆ ସୁବିଧା ରହିଛି ତା ନୁହେଁ ବରଂ ଏହା ଦ୍ୱାରା ବାୟୁ ଓ ଶବ୍ଦ ପ୍ରଦୂଷଣରୁ ବି ମୁକ୍ତି ମିଳୁଛି । ଦିଲ୍ଲୀପଙ୍କ ଏଭଳି ନିଆରା ଉଦ୍ୟମ ପାଇଁ ଗ୍ରାମବାସୀ ପ୍ରଶଂସା କରିଛନ୍ତି ।

ପରିବେଶ ପ୍ରଦୂଷଣକୁ ପ୍ରତିହତ କରିବାକୁ ଦିଲ୍ଲୀପଙ୍କ ଏଭଳି ଉଦ୍ୟମ ପ୍ରଶଂସାଯୋଗ୍ୟ। ତେବେ ଏନେଇ ସରକାରୀ ସ୍ତରରେ ସହଯୋଗ ମିଳିଲେ, ସେ ଆଗକୁ ଯାଇପାରିବେ ବୋଲି କହିଛନ୍ତି।