ଚାଷୀଙ୍କ ପ୍ରତି ସରକାରୀ ଅବହେଳା ପ୍ରତିବାଦରେ ବିଜେପିର ଫଟୋଚିତ୍ର ପ୍ରଦର୍ଶନୀ

ଭୁବନେଶ୍ୱର: ଚାଷ ଓ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଆଜି ଭୁବନେଶ୍ୱର ରାମ ମନ୍ଦିର ନିକଟରେ ରାଜ୍ୟ ବିଜେପି ପକ୍ଷରୁ ଫଟୋଚିତ୍ର ପ୍ରଦର୍ଶନୀ କରାଯାଇଛି। ବିଜେପିର ‘ଗ୍ରାମ ଉଦୟରୁ ଭାରତ ଉଦୟ’ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ଏହି ଫଟୋ ପ୍ରଦର୍ଶନୀ ଆୟୋଜିତ ହୋଇଛି। ଫଟୋଚିତ୍ର ପ୍ରଦର୍ଶନୀରେ ଚାଷୀଙ୍କ ସମସ୍ୟା ସମ୍ପର୍କିତ ଅନେକ ଫଟୋ ପ୍ରଦର୍ଶିତ କରାଯାଇଛି। ଚାଷୀଙ୍କ ପ୍ରତି ହୋଇଥିବା ସରକାରୀ ଅବହେଳାକୁ ଲୋକଲୋଚନକୁ ଆଣିବା ପ୍ରଦର୍ଶନୀର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ଫଟୋ ପ୍ରଦର୍ଶନୀ ମାଧ୍ୟମରେ ଚାଷୀଙ୍କୁ ସଚେତନ କରିବା ସହ ଜାଗ୍ରତ ରହିବା ଉଦ୍ଦେଶ୍ୟରେ ଫଟୋ ପ୍ରଦର୍ଶନୀ ଆୟୋଜନ କରାଯାଇଛି। ରାଜ୍ୟରେ ଚାଷୀଙ୍କ ସମସ୍ୟାକୁ ନେଇ ବିଗତ କିଛିମାସ ମଧ୍ୟରେ ଗଣମାଧ୍ୟମରେ  ପ୍ରକାଶିତ  ତଥ୍ୟ ଏବଂ ଫଟୋ ମଧ୍ୟ ଏହି ପ୍ରଦର୍ଶନୀରେ ଉପସ୍ଥାପନ କରାଯାଇଛି।

ବିଜେପି କୃଷକ ମୋର୍ଚ୍ଚାର ସଭାପତି ଶିବାଜୀ ମହାନ୍ତି କହିଛନ୍ତି, “ଗତ ବଜେଟରେ କେନ୍ଦ୍ର ସରକାର କୃଷକମାନଙ୍କ ପାଇଁ ଯେଉଁ ବ୍ୟବସ୍ଥା କରିଛନ୍ତି ସେହି ବ୍ୟବସ୍ଥାକୁ ଓଡ଼ିଶା ସରକାର ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥିବା ଭଳି ଲାଗୁଛି। ରାଜ୍ୟ ସରକାରଙ୍କ ବେପରୁଆ କୃଷି ନୀତି ଯୋଗୁ ୩୪୨ ଜଣ କୃଷକ ଆତ୍ମହତ୍ୟା କରି ସାରିଲେଣି। ଏ ସବୁ କଥା ଲୋକଲୋଚନକୁ ଆଣିବା ତଥା ଚାଷୀଙ୍କୁ ସଚେତନ ଓ ଜାଗ୍ରତ କରିବା ପାଇଁ  ରାଜ୍ୟ ବିଜେପି ପକ୍ଷରୁ ଫଟୋ ପ୍ରଦର୍ଶନୀ କରାଯାଇଛି। ”

ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି, “ବିଜେଡି ସରକାର ଗତ ୧୬ ବର୍ଷ ହେବ ଶାସନ ଭିତରେ ଚାଷୀଭାଇମାନଙ୍କର ମୌଳିକ  ଆବଶ୍ୟକତା  ପୂରଣ  କରିବାରେ ଅସଫଳ ହୋଇଛନ୍ତି, ଯାହାଫଳରେ  ଚାଷୀମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି।”