ରେଳ ଲାଇନ୍‌ରେ ଚାଲିଛି ଅଷ୍ଟପ୍ରହରୀ ନାମଯଜ୍ଞ! ଚାଷୀମାନେ ଜପୁଛନ୍ତି ନାମ ସଂକୀର୍ତ୍ତନ

ଟିଟିଲାଗଡ (ମାନସ ରଞ୍ଜନ ମହାନ୍ତି): ଷ୍ଟେସନ୍‌ରେ ବାଜୁଛି ଖୋଳ, ଝାଞ୍ଜ ଓ କରତାଳି। ହରେକୃଷ୍ଣ ହରେରାମ ନାମ ସଂକୀର୍ତ୍ତନରେ କମ୍ପୁଛି ଷ୍ଟେସନ୍‌। ଏକଦମ୍‌ ଭକ୍ତିମୟ ପରିବେଶ। ଦେଖିଲେ ଲାଗୁଛି, ରେଳ ଟ୍ରାକ୍‌ରେ ଚାଲିଛି ଅଷ୍ଟପ୍ରହରୀ ନାମଯଜ୍ଞ! କଥାଟି ସେମିତି କିଛି ନୁହେଁ। ଦାବି ପୂରଣ ପାଇଁ ଚାଷୀମାନେ ଏପରି ଅଭିନବ ପନ୍ଥା ଆପଣାଇଛନ୍ତି। ଷ୍ଟେସନ୍‌ ଦେଇ ଯାଉଥିବା ଟ୍ରେନ୍‌ ଗୁଡ଼ିକୁ ଅଟକାଇ ହରେକୃଷ୍ଣ ହରେରାମ ନାମ ସଂକୀର୍ତ୍ତନ ଜପୁଛନ୍ତି। ଆଜି ଅପରାହ୍ନରେ ଏପରି ଚିତ୍ର ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରେଳ ଷ୍ଟେସନ୍‌ରେ।

ପୂରା ଘଟଣାଟି ଏମିତି। ୨୦୨୧ ମସିହାରେ ବଲାଙ୍ଗିର ଜିଲ୍ଲାରେ ଦେଖାଯାଇଥିଲା ଉତ୍କଟ ମରୁଡି ପରିସ୍ଥିତି। ମରୁଡି ପରିସ୍ଥିତିକୁ ଦୁଷ୍ଟିରେ ରଖି ଚାଷୀମାନେ ପ୍ରଧାନମନ୍ତ୍ରୀ ଫସଲ କୃଷି ବୀମା କରିଥିଲେ। ଆଶା କରିଥିଲେ କୃଷି ବୀମା ଯୋଜନାରେ କିଛି ସହାୟତା ମିଳିବ। କିନ୍ତୁ ସରକାରଙ୍କ ବିଚିତ୍ର ନୀତି ଯୋଗୁ ଜିଲ୍ଲାର ୮୬ଟି ପଞ୍ଚାୟତର ଚାଷୀମାନେ କୃଷି ବୀମା ପାଇବାରୁ ବଞ୍ଚିତ ହୋଇଥିଲେ। ଚାଷୀମାନେ କୃଷି ବୀମା ପ୍ରଦାନ ଦାବିରେ ବିଭିନ୍ନ ସମୟରେ ଓ ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରି ଆସୁଥିଲେ। ହେଲେ ଏଥିପ୍ରତି ସାମାନ୍ୟତମ ଧ୍ୟାନ ଦେଉଥିଲା ପ୍ରଶାସନ।

ପ୍ରଶାସନଠାରୁ ନିରାଶ ହେବା ପରେ ଚାଷୀମାନେ ରେଳପଥ ଅବରୋଧ କରିବା ପାଇଁ ଯୋଜନା କରିଥିଲେ। ତା’ପୂର୍ବରୁ ଜିଲ୍ଲାର ହଜାର ହଜାର ଚାଷୀ ଟିଟିଲାଗଡ ସହର ହାଇସ୍କୁଲ ପଡିଆରେ ଏକତ୍ର ହୋଇଥିଲେ। ତା’ପରେ ବିଶାଳ ଶୋଭାଯାତ୍ରାରେ ସହରର ପରିକ୍ରମା କରିଥିଲେ। ପରେ ଟିଟିଲାଗଡ଼ ରେଳଷ୍ଟେସନ୍‌ରେ ପହଞ୍ଚି ଥିଲେ। ଆନ୍ଦୋଳନକାରୀଙ୍କୁ ଅଟକାଇବା ପାଇଁ ପୁଲିସ ପୂର୍ବ ସୂଚନା ଅନୁସାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲା। ଏହା ସତ୍ତ୍ୱେ ଆନ୍ଦୋଳନକାରୀ ରେଳ ଷ୍ଟେସନ ଭିତରେ ପ୍ରବେଶ କରିଥିଲେ। ଚାଷୀମାନେ ରେଲୱେ ଟ୍ରାକ୍‌ରେ ବସି ଖୋଳ, କରତାଳି ଓ ଝାଞ୍ଜ ବଜାଇ ସଂକୀର୍ତ୍ତନ କରିଥିଲେ। ରାୟପୁର-ବିଶାଖାପାଟଣା ପାସେଞ୍ଜର ଟ୍ରେନକୁ ଷ୍ଟେସନରେ ଅଟକାଇ ରଖିଥିଲେ। ଚାଷୀଙ୍କ ଆନ୍ଦୋଳନ ଯୋଗୁ ଦୀର୍ଘ ସମୟ ଧରି ରେଳଚପଥ ବାଧାପ୍ରାପ୍ତ ହୋଇଥିଲା।

ଏ ସମ୍ପର୍କରେ ଖବର ପାଇ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ହେଲେ ଆନ୍ଦୋଳନକାରୀମାନେ ନିଜ ଜିଦରେ ଅଟଳ ଥିବାରୁ ଆଲୋଚନା ବିଫଳ ହୋଇଥିଲେ।

ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଥିଲେ, ଚାଷୀମାନଙ୍କ ଦାବି ପୂରଣ ପାଇଁ ପଦକ୍ଷେପ ନିଆଯାଉଛି। କୃଷି ବୀମା କମ୍ପାନୀର ଜଣେ ପଦସ୍ତ ଅଧିକାରୀଙ୍କୁ ଡାକି ଚାଷୀଙ୍କ ପାଉଣା ଦେବାକୁ ଉଦ୍ୟମ ଜାରି ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।