ଆଚାର୍ଯ୍ୟ ବିହାର ଓଭରବ୍ରିଜ୍‌ରୁ ଖସିଲେ ବାପପୁଅ, ଆଖି ବୁଜିଲେ ବାପା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ମୃତ୍ୟୁ ଏପରି ବି ଆସେ। ବାପପୁଅ ସ୍କୁଟିରେ ଯାଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି। ଆଉ ବାପ ପୁଅ ଛିଟିକି ପଡିଲେ ୩୦ ଫୁଟ୍‌ ତଳକୁ। ଘଟଣାସ୍ଥଳରେ ବାପା ଗଙ୍ଗାଧର ମହାରଣାଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ଲକ୍ଷ୍ମଣ ଗୁରୁତର ହୋଇ ହସ୍ପିଟାଲରେ ପଡ଼ିଛନ୍ତି । ଏପରି ମର୍ମନ୍ତୁଦ ଦୁର୍ଘଟଣା ସୋମବାର ଆଚାର୍ଯ୍ୟ ବିହାରରେ ଘଟିଛି।

ଆଜି ବାପା ଓ ପୁଅ ଏକ ସ୍କୁଟିରେ ଯାଉଥିବା ବେଳେ ଆଚାର୍ଯ୍ୟ ବିହାର ଓଭରବ୍ରିଜ୍‌ରେ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଫଳରେ ଉଭୟେ ଓଭରବ୍ରିଜ୍‌ରୁ ୩୦ଫୁଟ୍ ତଳକୁ ଖସି ପଡ଼ିଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ସୂଚନାଯୋଗ୍ୟ, ୨୫ ତାରିଖରେ ନୟାପଲ୍ଲୀ ଓଭରବ୍ରିଜ୍‌ରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ଗିରିଜା, ଚନ୍ଦ୍ରାଂଶୁ ଓ ସୌମ୍ୟ ଏକ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ଡିଭାଇଡର୍‌ରେ ପିଟି ହୋଇ ରାସ୍ତାର ଅପରପାର୍ଶ୍ୱକୁ ଛିଟିକି ପଡ଼ିଥିଲେ। ଏହି ସମୟରେ କଟକ ଯାଉଥିବା ଏକ ଦ୍ରୁତଗାମୀ ଟ୍ରକ୍ ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ଗିରିଜା ଓ ଚନ୍ଦ୍ରାଂଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ସୌମ୍ୟ ଗୁରୁତର ଆହତ ହୋଇଥିଲେ।