ଫେବ୍ରୁଆରୀ ୨ରେ ଓଡ଼ିଶା ଆସିବେ ଉମା ଭାରତୀ

ଭୁବନେଶ୍ୱର: ଫେବ୍ରୁଆରୀ ୨ ତାରିଖରେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଉମା ଭାରତୀ। ଗସ୍ତର ପ୍ରଥମ ଦିନରେ ସେ ସମ୍ବଲପୁର ଯିବେ। ସେଠାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ସାକ୍ଷାତ ଆଲୋଚନା କରିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେବେ। ଏହାସହ ଆସନ୍ତା ସାଧାରଣ ବଜେଟକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

ଗସ୍ତର ଦ୍ୱିତୀୟ ଦିନରେ ସେ ଭୁବନେଶ୍ୱରକୁ ଆସିବେ। ସେଠାରେ ବିଭାଗୀୟ ପଦାଧିକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ୪ ତାରିଖରେ ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ରାୟପୁର ଅଭିମୁଖେ ଯିବାର କାର୍ଯ୍ୟକ୍ରମ ରହିଥିବା ବିଜେପି ପକ୍ଷରୁ ସୂଚନା ଦିଆଯାଇଛି।