ଏସ୍‌ସିବି ମେଡିକାଲ୍ ପରିସରରେ ଅଗ୍ନିଶମ କେନ୍ଦ୍ର ପ୍ରତିଷ୍ଠା କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

highcourtକଟକ: ଏସ୍‌ସିବି ମେଡିକାଲ୍ ପରିସରରେ ଏକ ଅଗ୍ନିଶମ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।  ଏହା ବ୍ୟତୀତ ହସ୍‌ପିଟାଲର ଏକ ଇଲେକ୍ଟ୍ରିକାଲ୍ ଅଡିଟ୍ କରି ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ସାଧାରଣ ବିଦ୍ୟୁତ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏସସିବି ମେଡିକାଲ୍‌ର ହୃଦ୍‌ରୋଗ ବିଭାଗରେ ଅଗ୍ନିକାଣ୍ଡ ଘଟଣାକୁ ନେଇ ନିଜ ପକ୍ଷରୁ ଦାଏର ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଏସ୍‌ସିବି ଓ ଆଚାର୍ଯ୍ୟ ହରିହର କର୍କଟ ରୋଗ ପ୍ରତିଷ୍ଠାନରେ ବାରମ୍ୱାର ଅଗ୍ନିକାଣ୍ଡ ଘଟିବା ଘଟଣାକୁ ନେଇ କୋର୍ଟ ଉଦବେଗ ପ୍ରକାଶ କରିଥିଲେ।

ଆଜି ମାମଲାର ଶୁଣାଣି ବେଳେ ଅଗ୍ନିଶମ ଡିଜି ବିନୟ ବେହେରା, ଏସ୍‌ସିବି ମେଡ଼ିକାଲ ଅଧୀକ୍ଷକ ପ୍ରଫେସର ଡାକ୍ତର ପି.ସି ରଥ, ହୃଦ୍‌ରୋଗ ବିଭାଗ ମୁଖ୍ୟ ଡାକ୍ତର ସତ୍ୟ ରାଉତରାୟ ଏବଂ ସାଧାରଣ ବିଦ୍ୟୁତ୍ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦୀପକ ଭୂୟାଁ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ।

ପ୍ରାଥମିକତା ଅନୁଯାୟୀ ଏସ୍‌ସିବିରେ ଅଗ୍ନିଶମ କେନ୍ଦ୍ର ପ୍ରତିଷ୍ଠା ପରେ ଅନ୍ୟ ସମସ୍ତ ସରକାରୀ ମେଡ଼ିକାଲ କଲେଜ ପରିସରରେ ଅଗ୍ନିଶମ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଅଗ୍ନିଶମ ଡିଜି ବିନୟ ବେହେରାଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମେଡିକାଲ୍ ପରିସରରେ  ମକ୍ ଡ୍ରିଲ କରାଇବା ଏବଂ ମେଡିକାଲ୍‌ର କର୍ମଚାରୀ ମାନଙ୍କୁ ଅଗ୍ନିନିର୍ବାପନ ସହ ଉଦ୍ଧାର କାର୍ଯ୍ୟ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦେବାକୁ କୋର୍ଟ କହିଥିଲେ। ଅଗ୍ନିନିର୍ବାପନ ପାଇଁ କେଉଁ କେଉଁ ବ୍ୟବସ୍ଥାର ଆବଶ୍ୟକତା ରହିଛି ସେନେଇ ରିପୋର୍ଟ ଦେବାକୁ ସାଧାରଣ ବିଦ୍ୟୁତ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ଅଗ୍ନିଶମ ବିଭାଗ ଡିଜି ବିନୟ ବେହେରା କହିଛନ୍ତି,“ପ୍ରାଥମିକା ଭିତ୍ତିରେ ତୁରନ୍ତ ଏସ୍‌ସିବି ମେଡିକାଲ୍ ପରିସରରେ ଅଗ୍ନିଶମ କେନ୍ଦ୍ର ଖୋଲିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏସ୍‌ସିବିର ବିଭିନ୍ନ ବିଭାଗରୁ ଜଣେ ଲେଖାଏଁ ଫାୟାର ଲିଆସିନିଂ ଅଧିକାରୀ ଚୟନ କରାଯିବ। ସେମାନଙ୍କୁ ପର୍ଯ୍ୟାୟକ୍ରମେ ଅଗ୍ନିନିର୍ବାପନ ପାଇଁ ତାଲିମ ଦିଆଯିବ। ରାଜ୍ୟର ଅନ୍ୟ ଦୁଇଟି ମେଡିକାଲ୍ କଲେଜ୍‌ରେ ମଧ୍ୟ ଫାୟାର ସବ୍‌ଷ୍ଟେସନ୍ ସ୍ଥାପନ କରାଯିବ।”