ଶିମିଳିପାଳ ଆଜିବି ଜଳୁଛି, କୁଲଡ଼ିହା ଅଭୟାରଣ୍ୟ ପରିଦର୍ଶନରେ ଗଲେ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରାୟ ଏକମାସ ଧରି ଜଳୁଥିବା ଶିମିଳିପାଳ ଜଙ୍ଗଲରେ ଆଜିବି ନିଆଁକୁ ଲିଭାଯାଇପାରିନି। ଶିମିଳିପାଳ ଜଙ୍ଗଲରେ ଆଜି ବି ୪ଟି ସ୍ଥାନରେ ନିଆଁ ଜଳୁଥିବାବେଳେ ରାଜ୍ୟର ୩୪୧ଟି ସ୍ଥାନରେ ଜଙ୍ଗଲରେ ନିଆଁ ଲାଗଛି। ସେପଟେ ଓଡ଼ିଶା ଆସିଥିବା କେନ୍ଦ୍ରୀୟ ଟିମ୍ ଶିମିଳିପାଳ ଗସ୍ତ ପରେ ଏବେ କୁଲଡ଼ିହା ବନ୍ୟଜନ୍ତୁ ଅଭୟାରଣ୍ୟରେ କ୍ଷେତ୍ର ଅଧିକାରୀମାନଙ୍କ ସହ ଅଗ୍ନି ପ୍ରଭାବିତ ଅଂଚଳ ପରିଦର୍ଶନ କରୁଥିବା ନେଇ ରାଜ୍ୟସ୍ତରୀୟ ଟାସ୍କଫୋର୍ସ ଅଧ୍ୟକ୍ଷ ସନ୍ଦୀପ ତ୍ରିପାଠୀ ସୂଚନା ଦେଇଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଟାସ୍କଫୋର୍ସ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ହାଇଦ୍ରାବାଦସ୍ଥିତ ନ୍ୟାସନାଲ ରିମୋଟ ସେନ୍ସିଂ ସେଣ୍ଟର ରିପୋର୍ଟ ଅନୁସାରେ ଶିମିଳିପାଳ ଜଙ୍ଗଲରେ ନିଆଁ ସମ୍ପୂର୍ଣ୍ଣ ହ୍ରାସ ପାଇଛି। ଡେରାଡୁନସ୍ଥିତ ଏଫଏସଆଇର ସୂଚନା ଅନୁସାରେ ଗତକାଲି ୭୦୧ଟି ଜଙ୍ଗଲ ଆଲର୍ଟ ସ୍ଥାନରେ ଆଜି ରାଜ୍ୟର ୩୪୧ଟି ଜଙ୍ଗଲ ଅଗ୍ନି ସତର୍କ ସୂଚନା ରହିଛି।

ରାଜ୍ୟରେ ଜଙ୍ଗଲ ନିଆଁ ପରିସ୍ଥିତି ଆୟତ୍ତାଧୀନ ରହିଛି। ରାଜ୍ୟରେ ଜଙ୍ଗଲ ନିଆଁ ପରିଚାଳନା ପାଇଁ ସରକାର ଓ ଟାସ୍କଫୋର୍ସ ଦ୍ୱାରା କ୍ଷେତ୍ର ଅଧିକାରୀଙ୍କ ସହ ନିଆଁର ସ୍ଥିତିର କ୍ରମାଗତ ତଦାରଖ ଓ ସମୀକ୍ଷା ଜାରି ରହିଛି । ଜଙ୍ଗଲ ଭିତରେ ରାତ୍ରି ପାଟ୍ରୋଲିଂ ସମେତ ଅନ୍ୟ ସମସ୍ତ ପାଟ୍ରୋଲିଂକୁ ଅଧିକ ତ୍ୱରାନ୍ୱିତ କରାଯାଇଛି। ପିସିସିଏଫଙ୍କ କାର୍ଯ୍ୟାଳୟର ଓଡ଼ିଶା ଫରେଷ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ ମାଧ୍ୟମରେ ୨୪ଘଣ୍ଟିଆ ପର୍ଯ୍ୟବେକ୍ଷଣ କରାଯାଉଛି। ଅଗ୍ନିଶମ ଅଧିକାରୀଙ୍କ ସମେତ ୮ଟି ଓଡ୍ରାଫ ଟିମର ୨୦୦ଜଣ ଓ ଜଙ୍ଗଲ କର୍ମଚାରୀ ନିଆଁକୁ ଆୟତ୍ତ କରିବା କାର୍ଯ୍ୟରେ ଏବେ ନିୟୋଜିତ ଅଛନ୍ତି।

ଜଙ୍ଗଲରେ ନିଆଁକୁ ଆୟତ୍ତ କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ସ୍ଥାନୀୟ କିମ୍ବା ଭିଏସଏସ୍ ସଦସ୍ୟଙ୍କୁ ପ୍ରୋତ୍ସାହନ ପ୍ରଦାନ ଓ ସ୍ଥାନୀୟ ସମୁଦାୟର ଲୋକଙ୍କୁ ଆବଶ୍ୟକତା ଅନୁସାରେ ପୁରସ୍କାର ପ୍ରଦାନ କରି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ କରିବା ପାଇଁ ବନଖଣ୍ଡ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଜଙ୍ଗଲ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ମୋନା ଶର୍ମା ଗତ ୧୦ ଓ ୧୧ତାରିଖରେ ଶିମିଳିପାଳ ଜଙ୍ଗଲ ଅଂଚଳ ଗସ୍ତ କରି ସ୍ଥାନୀୟ ଜନସାଧାରଣ ଓ ବନଅଧିକାରୀଙ୍କ ସହ ଆଲୋଚନା କରି ଫେରିଛନ୍ତି। ଏବେ ମୋଟ ଉପରେ ନିଆଁ ଆୟତ୍ତାଧୀନ ରହିଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।