ଆଜିଠୁ ଆରମ୍ଭ ହେଲା ୫ଦିନିଆ ‘କୃଷି ଓଡ଼ିଶା-୨୦୨୧’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ୫ଦିନିଆ ରାଜ୍ୟସ୍ତରୀୟ କୃଷି ସମ୍ମିଳନୀ ‘କୃଷି ଓଡ଼ିଶା-୨୦୨୧’ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସି ମାଧ୍ୟମରେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ସେ ସବୁବେଳେ ଚାଷୀଙ୍କ ସହ ଅଛନ୍ତି ଓ ରହିଥିବେ ବୋଲି ଆଶ୍ୱସ୍ତ କରିଛନ୍ତି।

ବରମୁଣ୍ଡା ଖେଳ ପଡ଼ିଆରେ ଆୟୋଜିତ ଏହି ମେଗା କୃଷି ମହୋତ୍ସବକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ମିଲେଟ୍ ମିଶନରେ ଓଡ଼ିଶା ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିପାରିଛି। କଳାହାଣ୍ଡିର ଚାଷୀ ମାଛ ଚାଷରେ ସମଗ୍ର ଦେଶରେ ପ୍ରଥମ ହୋଇଛି। ଓଡ଼ିଶାର ଚାଷୀ କାହାଠାରୁ କମ୍ ନୁହଁନ୍ତି । ଏବେସୁଦ୍ଧା ରାଜ୍ୟର ଚାଷୀଙ୍କୁ ୨୦ହଜାର କୋଟି ଟଙ୍କାର ଋଣ ଯୋଗାଇ ଦିଆଯାଇଛି।

କରୋନା ଦେଶର ଅର୍ଥନୀତିକୁ ବିଶେଷ ପ୍ରଭାବିତ କରିଛି, କିନ୍ତୁ କୃଷି କ୍ଷେତ୍ର ହିଁ ସଞ୍ଜିବନୀ ପରି ଆମ ଅର୍ଥନୀତିକୁ ଶକ୍ତି ଦେଇଛି। ଚାଷୀର ପରିଶ୍ରମ ଓ ତ୍ୟାଗକୁ ସମ୍ମାନ ଦେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି କୃଷି ମହୋତ୍ସବ ବା ପ୍ରଦର୍ଶନ ଆସନ୍ତା ୧୯ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି କୃଷି ମହୋତ୍ସବରେ ୧୦ଟି ବିଷୟକୁ ନେଇ କର୍ମଶାଳା ମଧ୍ୟ ଆୟୋଜନ କରାଯାଇଛି।

କୃଷି ଓଡ଼ିଶାରେ ଏଥର ୧୬୦ଟି ମଣ୍ଡପରେ କୃଷି, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ, ଜଳଛାୟା ମିଶନ, ପ୍ରାଣୀ ଓ ମତ୍ସ୍ୟ ସମ୍ପଦ ଆଦି ବିଭାଗ ପକ୍ଷରୁ ପ୍ରଦର୍ଶନୀ କରାଯାଉଛି। ମିଲେଟ୍ ମିଶନ ଓ ମିଶନ ଶକ୍ତି ପକ୍ଷରୁ ସ୍ୱତନ୍ତ୍ର ପ୍ରଦର୍ଶନୀ କରାଯାଉଛି । ଚାଷୀ, କୃଷି ଉଦ୍ୟୋଗୀ ଓ କୃଷି ବିଜ୍ଞାନୀମାନଙ୍କୁ ନେଇ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହେବ। ଏହାସହିତ ସଫଳ ଚାଷୀମାନଙ୍କୁ ମଧ୍ୟ ଉଦଯାଟନୀ ଉତ୍ସବରେ ପୁରସ୍କୃତ କରାଯାଇଛି।

ଏହି ଉଦଘାଟନୀ ଉତ୍ସବରେ କୃଷିମନ୍ତ୍ରୀ ଅରୁଣ ସାହୁ, ବିଭାଗୀୟ ସଚିବ ସୌରଭ ଗର୍ଗଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।