ଫୁଲୁଛି ବୈତରଣୀ, ବୁଢାବଳଙ୍ଗ ଓ ସୁବର୍ଣ୍ଣରେଖା: ୪ ଜିଲ୍ଲାରେ ବନ୍ୟା ସ୍ଥିତି ଉଦ୍‌ବେଗ ଜନକ

ଭୁବନେଶ୍ୱର: ଭଦ୍ରକ, ବାଲେଶ୍ୱର, ଯାଜପୁର ଓ କେନ୍ଦୁଝରରେ ବନ୍ୟା ସ୍ଥିତି। ବୈତରଣୀ, ବୁଢାବଳଙ୍ଗ ଓ ସୁବର୍ଣ୍ଣରେଖା ଫୁଲୁ ଥିବାରୁ ପାଣି ଘେରରେ ଚାରି ଜିଲ୍ଲାର ଅନେକ ଗାଁ। ହୀରାକୁଦ ପାଣି ତଳମୁଣ୍ଡରେ ପହଞ୍ଚିବା ପରେ ମହାନଦୀର ଶାଖାନଦୀଗୁଡ଼ିକରେ ଜଳସ୍ତର ବଢ଼ିବାରେ ଲାଗିଛି।

ଫୁଲୁଛି ବୈତରଣୀ, ବୁଢ଼ାବଳଙ୍ଗ, ସୁବରଣ୍ଣରେଖା ଓ ଜଳକା। ସୁବର୍ଣ୍ଣରେଖାରେ ବଢ଼ିପାଣି ବଢୁଥିବାରୁ ପାଣି ଘେର ଭିତରେ ବାଲେଶ୍ୱର ଜିଲ୍ଲାର ବହୁ ଅଞ୍ଚଳ। ଭୋଗରାଇ, ବାଲିଆପାଳ, ଜଳେଶ୍ୱର ଓ ବସ୍ତା ବ୍ଳକ୍‌ରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି। ଲୋକେ ପାଣି ଘେରରେ ରହିବା ସହ ବହୁ ଚାଷ ଜମି ଜଳମଗ୍ନ ହୋଇଛି। ସେହିଭଳି ଭଦ୍ରକ ଜିଲ୍ଲାରେ ଧୀରେ ଧୀରେ ଗମ୍ଭୀର ରୂପ ନେଉଛି ବନ୍ୟା ପରିସ୍ଥିତି। ବୈତରଣୀରେ ବନ୍ୟା ଜଳ ଆଖୁଆପଦାଠାରେ ବିପଦ ସଙ୍କେତ ଉପରେ ବହୁଛି। ଏପଟେ ଜିଲ୍ଲାର ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକର ୧୦ରୁ ଅଧିକ ଗାଁ ପ୍ରଭାବିତ ହୋଇଥିବା ବେଳେ ପ୍ରାୟ ୩୦ହଜାରରୁ ଅଧିକ ଲୋକେ କ୍ଷତିଗ୍ରସ୍ତ ହୋଇଛନ୍ତି।

ବୈତରଣୀ ଧୀରେ ଧୀରେ ଫୁଲୁ ଥିବାରୁ ଜଳବନ୍ଦୀ ହୋଇଛି ଯାଜପୁର। ଜିଲ୍ଲାର ଯାଜପୁର, ଦଶରଥପୁର ଓ କୋରେଇ ବ୍ଲକର ୨୫ରୁ ଅଧିକ ଗାଁ ପାଣି ଘେରରେ ରହିଛନ୍ତି ହଜାର ହଜାର ଲୋକ। ସେହିଭଳି କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ରାଜଘାଟଠାରେ ବୈତରଣୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏଠାରେ ବନ୍ୟା ଜଳ ହାଟଡିହି, ଘଷିପୁରା ବ୍ଲକର କିଛି ଅଞ୍ଚଳକୁ ଜଳାଣ୍ଣବ କରିଛି।

ଆଜି ସୁଦ୍ଧା ହୀରାକୁଦରେ ୧୦ଟି ଗେଟ୍ ଖୋଲାଯାଇଥିବାରୁ ବଢ଼ିବାରେ ଲାଗିଛି ମହାନଦୀ ଓ ଏହାର ଶାଖା ନଦୀଗୁଡ଼ିରେ ଜଳପତ୍ତନ। ହୀରାକୁଦ ପାଣି ଆଜି ଉପକୂଳରେ ପହଞ୍ଚିଛି। ମୁଣ୍ଡୁଳି, ନରାଜ ଓ ଜୋବ୍ରାଠାରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କରାଯାଇ ବନ୍ୟା ଜଳକୁ ନିରୀକ୍ଷଣ କରାଯାଉଛି। ସେପଟେ ରାୟଗଡ଼ା ଜିଲ୍ଲା ଗୁଣପୁରରେ ବଂଶଧାରା ନଦୀକୁ ଗାଧୋଇବାକୁ ଯାଇ ୨ ଛାତ୍ରଙ୍କ ସଲିଳ ସମାଧି ଘଟିଛି।