ପୋଡ଼ି ହୋଇଗଲେ ସହକାରୀ ବନ ସଂରକ୍ଷକ

ପାରଳାଖେମୁଣ୍ଡି(ଆଦର୍ଶ ଦାସ): ପୋଡ଼ି ହୋଇ ଗୁରୁତର ହୋଇପଡ଼ିଛନ୍ତି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ର। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲ ଓ ପରେ କଟକ ବଡ଼ ଡାକ୍ତରଖାନା  ସ୍ଥାନାନ୍ତର କରାଯାଇଛି।  ତାଙ୍କ ଶରୀରର  ୮୦ପ୍ରତିଶତ ପୋଡିଯାଇଛି। ଏହା ଘଟଣା ନା ଦୁର୍ଘଟଣା ସେ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ୍‌।

ପୁଲିସ୍‌ ସୂଚନା ଅନୁଯାୟୀ, ସୌମ୍ୟରଞ୍ଜନ ଗତକାଲି ପତ୍ନୀଙ୍କ ସହ ନିଜ ସରକାରୀ ବାସଭବନରେ  ଥିଲେ। ରାତି ପ୍ରାୟ ୯ଟା ବେଳେ ତାଙ୍କ ପତ୍ନୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚିଥିଲେ। ଏହାପରେ ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ପୋଡ଼ି ହୋଇଯାଇଥିବା ଦେଖି ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ସେଠାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ଓ ପରେ କଟକ ବଡ଼ ମେଡିକାଲ ପଠାଯାଇଛି।  ଖବର ପାଇ ଜିଲ୍ଲା ବନ ଖଣ୍ଡ ଅଧିକାରୀ,  ସ୍ଥାନୀୟ ତହସିଲଦାର, ପୁଲିସ୍‌, ଏସଡ଼ିପିଓ, ପାରଳାଖେମୁଣ୍ଡି ଥାନା ଅଧିକାରୀ ଓ ଅନ୍ୟାନ୍ୟ ପୁଲିସ୍‌ କର୍ମଚାରୀ  ମେଡିକାଲରେ ପଞ୍ଚିଥିଲେ। ଏହାପରେ  ସୌମ୍ୟରଞ୍ଜନଙ୍କ ବାସଭବନରେ ପୁଲିସ୍‌ ଗତ ରାତିରେ ପହଞ୍ଚି ତଦନ୍ତ କରିଛି।

ସୂଚନାଯୋଗ୍ୟ, ସୌମ୍ୟରଞ୍ଜନ ପ୍ରାୟ ୬ ମାସ ପୂର୍ବେ ବିବାହ କରିଥିବା ବେଳେ ଏବେ ଏପରି ଘଟଣା କାହିଁକି ଓ କିପରି ଘଟିଲା ତାକୁ ନେଇ ଖୋଳତାଡ଼ ଆରମ୍ଭ କରିଛି ପୁଲିସ୍‌।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।