ଠକ ବାପପୁଅ; ଲୁଟି ସାରିଲେଣି ୩୦ ଲକ୍ଷ ଟଙ୍କା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେତେବେଳେ ସରକାରୀ ଚାକିରି କରାଇ ଦେବାର ପ୍ରତିଶ୍ରୁତି ତ କେତେବେଳେ ନାମୀଦାମୀ ଶିକ୍ଷାନୁଷ୍ଠାନରେ ଆଡମିଶନ କରାଇ ଦେବାର ଲୋଭ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଲୁଟିଛନ୍ତି ବାପପୁଅ । ଏପରି କରି ନିରୀହ ଲୋକଙ୍କଠାରୁ ପ୍ରାୟ ୩୦ ଲକ୍ଷ ଟଙ୍କା ଲୁଟି ସାରିଲେଣି ଠକ ବାପପୁଅ। କେବଳ ସେତିକି ନୁହେଁ, କେତେବେଳେ ଆଶାୟୀଙ୍କୁ ଫେକ୍ ଏକଜାମ କରାଇବା ସହ ଜାଲ ନିଯୁକ୍ତି ପତ୍ର ମଧ୍ୟ ପ୍ରଦାନ କରାଯାଇଛି । ହେଲେ ସେମାନଙ୍କୁ ନା ମିଳିଛି ଚାକିରି, ନା ହୋଇପାରୁଛି ଆଡମିଶନ।

ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି । ପୁଲିସ୍‌ ଅଭିଯୁକ୍ତଦ୍ୱୟଙ୍କୁ ଖୋଜୁଥିବା ବେଳେ ସେମାନେ ଫେରାର ହୋଇଯାଇଥିବା ଜଣାଯାଇଛି। ଏହି ବାପପୁଅ ମୟୂରଭଞ୍ଜ ଜିଲ୍ଲାରେ ବୋଲି ଜଣାପଡିଛି। ପୁଲିସ୍ ଘଟଣାର‌ ତଦନ୍ତ କରୁଛି।

ଜଣେ ଅଭିଯୋଗକାରୀ କହିଛନ୍ତି, ବାପପୁଅ  କେତେବଳେ କହୁଛନ୍ତି ଅଫିସର ବଦଳିଗଲେ ତ କେତେବେଳେ କହୁଛନ୍ତି ଅଫିସର ଟଙ୍କା ନେଇ ଦେଉନି। ଏପରିକି ଜଣେ ଯୁବକଙ୍କୁ ଏକ ଜାଗାରେ ୩ ଦିନ ପାଇଁ ଚାକିରି ମଧ୍ୟ କରାଇ ଦେଇଥିଲେ ଅଭିଯୁକ୍ତ। ଯୁବକ ଜଣଙ୍କ ସେଠାରେ ତିନି ଦିନ ଦସ୍ତଖତ କରିଥିବା ବେଳେ ପରେ ଚାକିରି ନାହିଁ ବୋଲି ଜାଣିବାକୁ ପାଇଥିଲେ।

ଡିସିପି ଉମାଶଙ୍କର ଦାସ କହିଛନ୍ତି, ଯଦି କେହି କହୁଛି ଟଙ୍କା ଦେଲେ ସରକାରୀ ଚାକିରି କରାଇଦେବ, ବଡ଼ ବଡ଼ ଶିକ୍ଷାନୁଷ୍ଠାନରେ ଆଡମିଶନ କରାଇଦେବ, ତାହା ସମ୍ପୂର୍ଣ୍ଣ ମିଥ୍ୟା। ଏପରି ଠକାମିରେ ପଡ଼ନ୍ତୁ ନାହିଁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।