ଗଜଭିୟେଙ୍କ ନିଲମ୍ବନ ଅବଧି ପୁଣି ୬ ମାସ ବଢ଼ିଲା

ଭୁବନେଶ୍ୱର: ଆଇପିଏସ୍ ଅଫିସର ସତୀଶ ଗଜଭିୟେଙ୍କ ନିଲମ୍ବନ ଅବଧିକୁ ରାଜ୍ୟ ସରକାର ପୁଣି ୬ ମାସ ପାଇଁ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଗୃହ ବିଭାଗ ତାଙ୍କ ନିଲମ୍ବନ ଅବଧିକୁ ବଢ଼ାଇଛି। ଏହାକୁ ମିଶାଇ ତୃତୀୟ ଥର ପାଇଁ ଗଜଭିୟେଙ୍କ ନିଲମ୍ବନ ଅବଧି ବୃଦ୍ଧି ପାଇଛି।

ସାରଥୀ ବିବାଦ ନେଇ କେନ୍ଦ୍ରାପଡ଼ାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାରୁ ୨୦୧୫ ଅଗଷ୍ଟ ୧୩ ତାରିଖରେ ତାଙ୍କୁ କେନ୍ଦ୍ରାପଡ଼ା ଏସ୍‌ପି ପଦବୀରୁ ନିଲମ୍ବନ କରାଯାଇଥିଲା। ସେହି ବର୍ଷ ନଭେମ୍ବର ୧୧ତାରିଖରେ ଏହି ନିଲମ୍ବନ ଅବଧିକୁ ୧୮୦ ଦିନ ପାଇଁ ବୃଦ୍ଧି କରାଯାଇଥିଲା। ଏହା ପରେ ଗତ ମେ’ ୮ ତାରିଖରେ ତାଙ୍କ ନିଲମ୍ବନ ଅବଧିକୁ ପୁର୍ନବାର ୯୫ ଦିନ ପାଇଁ ବୃଦ୍ଧି କରାଯାଇଥିଲା।