ଆଜି ପୁଣି ଗଣଶିକ୍ଷକ ଓ ସରକାରଙ୍କ ମଧ୍ୟରେ ଆଲୋଚନା

ଭୁବନେଶ୍ୱର: ଆଜି ପୁଣି ଥରେ ଗଣଶିକ୍ଷକଙ୍କ ସହ ଆଲୋଚନା କରିବେ ରାଜ୍ୟ ସରକାର। ଗତକାଲି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ମିଶ୍ରଙ୍କ ସହ ଆଲୋଚନା କରିଥିଲା ସଂଘ। ମାତ୍ର ଏହି ଆଲୋଚନାରୁ କୌଣସି ନିର୍ଯ୍ୟାସ ବାହାରି ନ ଥିବାରୁ ଆଜି ଅପରାହ୍ନରେ ପୁଣି ବୈଠକ ବସିବ। ସରକାର ଗଣ ଶିକ୍ଷକଙ୍କ ସ୍ଥାୟୀ ନିଯୁକ୍ତି ନେଇ ଜାରି କରିଥିବା ନିଦ୍ଦେର୍ଶନାମାରେ ଯେଉଁ ଯୋଗ୍ୟତା ବିଷୟ ଉଲ୍ଲେଖ ରହିଛି ତାହା ସ୍ପଷ୍ଟ ନୁହେଁ ବୋଲି ଗଣ ଶିକ୍ଷକ ମହାସଂଘ ପକ୍ଷରୁ କୁହାଯାଇଛି। ଗଣ ଶିକ୍ଷକମାନେ ସ୍ଥାୟୀ ନିଯୁକ୍ତି ନେଇ ଯେଉଁ ସର୍ତ୍ତ ରଖିଥିଲେ ତାହା ପୂରଣ ହୋଇନାହିଁ ବୋଲି ସଂଘ ଅଭିଯୋଗ କରିଛି। ତେଣୁ ସଂଘ ପକ୍ଷରୁ ବୁଧବାର ମହାତ୍ମାଗାନ୍ଧି ମାର୍ଗରେ ଆନ୍ଦୋଳନ କରାଯାଇଥିଲା। ମୂଳ ନିଯୁକ୍ତିର ୬ ବର୍ଷ ପୂରଣ କରୁଥିବା ସମସ୍ତ ଗଣ ଶିକ୍ଷକମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ସଂଘ ଦାବି କରୁଛି।