ଟ୍ରକରେ ନେଉଥିଲେ, ଧରା ପଡ଼ିଲେ

ମୋହନା(ଓଡିଶା ରିପୋର୍ଟର): ଗଜପତି ଜିଲ୍ଲା ମୋହନା ଥାନା ପୁଲିସ୍‌ ଗତକାଲି ତରାମାଳ ଗାଁ ନିକଟରେ ଯାନବାହନ ଯାଞ୍ଚ ବେଳେ ଏକ ଟ୍ରକ୍‌ରୁ ୬୧୦ କେଜି ଗଞ୍ଜେଇ ଜବତ କରିଛି । ଏହା ସହିତ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ୬ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଏକ ବାଇକ୍‌ ମଧ୍ୟ ଜବତ କରିଛି ପୁଲିସ୍‌ ।

ଗିରଫ ଅଭିଯୁକ୍ତମାନେ ହେଲେ, ହରିୟାଣାର ବିନୋଦ କୁମାର ଶର୍ମା, ଜୟପାଲ ସିଂ, ସୁରେଶ କଶ୍ୟପ, ବାଳକ ରାମ ଓ ଚନ୍ଦ୍ରଗିରି ଅଞ୍ଚଳ ମନୋଜ ବିର ଓ ସୁକାନ୍ତ ମାଝୀ ।

ସୂଚନା ଅନୁସାରେ, ଏହି ୬ ଅଭିଯୁକ୍ତ ଶିକୁଳିପଦର ଅଂଚଳରୁ ଗଞ୍ଜେଇ ନେଇ ଟ୍ରକରେ ହରିୟାଣା ଅଭିମୁଖେ ଚାଲାଣ କରୁଥିଲେ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ୍‌  ଟ୍ରକ୍‌କୁ ଯାଞ୍ଚ କରି ତାହାର ଗୁପ୍ତ କୋଠରୀରୁ ୨୧ ବସ୍ତା ଗଂଜେଇ ଜବତ କରିଥିଲା । ଯାହାର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଳି ପୁଲିସ୍‌ ସୂଚନା ଦେଇଛି।