ବାହାରୁ ଆସିଲେ RTPCR ସାର୍ଟିଫିକେଟ ବାଧ୍ୟତାମୂଳକ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣର ଦ୍ୱିତୀୟ ଲହରକୁ ରୋକିବା ପାଇଁ ତତ୍ପର ହୋଇ ଉଠିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଏହାକୁ ନେଇ ଏକ ବୈଠକ ହୋଇଛି। ମାସ୍କ ବ୍ୟବହାରକୁ କଡ଼ାକଡ଼ି କରାଯାଇଛି। ହଟସ୍ପଟ ଅଞ୍ଚଳରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ କଡ଼ା ନଜର ରଖାଯିବ। ବାହାର ଅଞ୍ଚଳରୁ ଆସିଲେ RTPCR ଟେଷ୍ଟ ସାର୍ଟିଫିକେଟ ବାଧ୍ୟତାମୂଳକ କରାଯାଇଛି।

ରାଜ୍ୟ ବାହାରୁ ଜାନିଯାତ୍ରା ପାଇଁ ଲୋକେ ଆସିପାରିବେନି। କେବଳ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଥିଲେ ନିଜ ନିଜ ଆରଟିପିସିଆର ସାର୍ଟିଫିକେଟ ଧରି ଆସିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅନୁରୋଧ କରିଛନ୍ତି। ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତି ମାନେ ୭ ଦିନ ହୋମ କ୍ୱାରେଣ୍ଟାଇନରେ ରହିବେ। ଜିଲ୍ଲାରେ ହୋଲିଯାତ୍ରା ଉପରେ କଟକଣା ଲଗାଯାଇଛି। କେବଳ ମନ୍ଦିର ଭିତରେ ଠାକୁରଙ୍କ ରିତିନିତି ଅନୁଯାୟୀ ହେବ ପୂଜାର୍ଚ୍ଚନା। ସର୍ବସାଧାରଣ ସ୍ଥାନରେ ହୋଲି ଖେଳାଯିବା ଉପରେ କଟକଣା ଲଗାଯାଇଛି। ନିଜ ନିଜର ଘରେ ଲୋକେ ହୋଲି ଖେଳିପାରିବେ।

ସେହିପରି ବ୍ରହ୍ମପୁର ବୁଢୀ ଠାକୁରାଣି ଯାତ୍ରା ମଧ୍ୟ ମାଆଙ୍କ ରିତିନିତି ଅନୁଯାୟୀ ପୂଜାର୍ଚ୍ଚନା ହେବ। ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ କୋଭିଡ୍ ନିୟମ ପାଳନ ହେଉଛି କି ନାହିଁ ବିଡିଓ, ତହସିଲଦାର ଓ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀମାନେ ଏହାର ତଦାରଖ କରିବେ। ଲୋକେ ସତର୍କତା ଅବଲମ୍ବନ କଲେ କିମ୍ବା କୋଭିଡ୍ କଟକଣା ନ ମାନିଲେ ଅନ୍ୟ ରାଜ୍ୟ ଭଳି ପୁଣି ଥରେ ଲକ ଡାଉନ ଏବଂ ଶଟ୍ଡାଉନ ଭଳି ସ୍ଥିତି ଉପୁଜିବାର ସମ୍ଭାବନା ରହିଛି ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ।

ଆଗାମୀ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ପାନୀୟ ଜଳର ସୁବ୍ୟବସ୍ଥା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବା ସହ ଶ୍ରମିକ ମାନେ ଯେପରି ଅଂଶୁଘାତରୁ ରକ୍ଷା ପାଇବେ, ସେଥିପାଇଁ ସୁବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ଆଲୋଚନା କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।