ରାଜ୍ୟ ସରକାର ଜାରି କଲେ କୋଭିଡ୍ କଟକଣା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ଭାଇରସ୍ ମହାମାରୀର ଦ୍ୱିତୀୟ ଷ୍ଟ୍ରେନ୍ ଏବେ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। କରୋନା ସଂକ୍ରମଣ ପୁଣି ବଢ଼ୁଥିବାର ଦେଖି ସାଧାରଣ ପ୍ରଶାସନ ବିଭାଗ (ଜିଏ) କଟକଣା କଡ଼ା କରିଛି। ଗତ ଜୁନ୍ ମାସରେ ହୋଇଥିବା କଟକଣା ପୁଣିଥରେ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛି ଜିଏ।

ଜିଏର ଗାଇଡ୍ ଲାଇନ୍ ଅନୁଯାୟୀ, ଅଫିସ୍ ପରିସର ଭିତରେ ସବୁ କର୍ମଚାରୀ ମାସ୍କ ପିନ୍ଧିବା ଜରୁରୀ। ଏହାଛଡ଼ା ଅଫିସ ପରିସର ଭିତରେ ସବୁ କର୍ମଚାରୀଙ୍କ ମଧ୍ୟରେ ଦୁଇ ମିଟର୍ ଦୂରତା ବାଧ୍ୟତାମୂଳକ କରାଯାଇଛି। କରିଡର୍ ଭିତରେ ଅନାବଶ୍ୟକ ଗହଳି କରିବାକୁ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି ଜିଏ।

ସେହିପରି ପୂର୍ବ କଟକଣା ଅନୁଯାୟୀ, ଅଫିସ୍ ଭିତରେ କର୍ମଚାରୀମାନେ ନିୟମିତ ୨୦ ସେକେଣ୍ଡ ହାତ ଧୋଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଅଫିସିଆଲ୍ ମିଟିଂ ପାଇଁ ଭିଡିଓ କନଫରେନ୍ସିଂକୁ ଗୁରୁତ୍ୱ ଦେବାକୁ କୁହାଯାଇଛି। ଆଗନ୍ତୁକ ଯଥାସମ୍ଭବ କମ୍ ଲୋକଙ୍କୁ ଅଫିସ୍ ଭିତରକୁ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଗତ କିଛି ଦିନ ହେବ କରୋନା ମାମଲା ପୁଣିଥରେ ବୃଦ୍ଧି ପାଇଛି। ଦେଶରେ ଗତ ୨୪ ଘଣ୍ଟାରେ ୩୯ ହଜାର ୭୨୬ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେବେ ମହାରାଷ୍ଟ୍ର ପୁଣିଥରେ ସର୍ବାଧିକ ମାମଲା ଚିହ୍ନଟ ହୋଇଛି। କେବଳ ମହାରାଷ୍ଟ୍ରରେ ୨୫ ହଜାର ୮୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ଆଖି ଆଗରେ ରଖି ରାଜ୍ୟର କିଛି ଅଞ୍ଚଳରେ ଲକଡାଉନ ଓ କର୍ଫ୍ୟୁ ଲାଗୁ କରାଯାଇଛି। ସେହିପରି ରାଜ୍ୟରେ ୫୦ ପ୍ରତିଶତ ଲୋକଙ୍କୁ ନେଇ ସିନେମା ହଲ, ଅଡିଟୋରିୟମ୍ ଓ ଘରୋଇ ଅଫିସ ଚଲାଇବାକୁ କୁହାଯାଇଛି।

କେବଳ ମହାରାଷ୍ଟ୍ର ନୁହେଁ, ପଞ୍ଜାବରେ ମଧ୍ୟ କରୋନା ନିୟମ ପୁଣିଥରେ ଲାଗୁ ହୋଇଛି। ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହିତ ସିନେମା ହଲର କ୍ଷମତା ୫୦%ରେ ସୀମିତ ରଖିବାକୁ କୁହାଯାଇଛି। ଅନ୍ତିମ ସଂସ୍କାର ପ୍ରକ୍ରିୟା ଏବଂ ବିବାହ ବେଳେ ୨୦ ଜଣ ସାମିଲ୍ ହୋଇପାରିବେ ବୋଲି ପଞ୍ଜାବ ସରକାର କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।