ଶେଷ ରଜରେ ସ୍କୁଲ ପରିସରରେ ଯୁବତୀଙ୍କୁ ଦୁଷ୍କର୍ମ

ବାଲିଗୁଡ଼ା (ଅଜିତ କୁମାର ନାୟକ): ରଜ ହେଉଛି ଝିଅମାନଙ୍କ ପର୍ବ। ସେଥିପାଇଁ କଲେଜ ପଢ଼ୁଆ ଝିଅଟି ସାଙ୍ଗ ସହ ଦୋଳି ଖେଳିବାକୁ ପାଖ ଗାଁକୁ ଯାଇଥିଲେ। ମାତ୍ର ଜାଣିନଥିଲେ ରାସ୍ତାରେ ଜଗି ରହିଥିଲା ଯୌନ ରାକ୍ଷସ। ସାଥୀରେ ଯିବାକୁ ଡାକିଥିଲା। ମାତ୍ର ଝିଅଟି ନଯିବାକୁ ତାକୁ ବଳପୂର୍ବକ ସ୍କୁଲ ପରିସରରେ ଦୁଷ୍କର୍ମ କଲା। ଏପରି ହୃଦୟବିଦାରକ ଘଟଣା କନ୍ଧମାଳ ଜିଲ୍ଲା ସାରଙ୍ଗଗଡ଼ ଥାନା ଅଞ୍ଚଳରେ ଘଟିଛି। ଯୁବତୀଙ୍କ ବାପାଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଦ୍ୱିତୀୟ ରଜରେ ଝିଅଟି ସାଙ୍ଗ ସହିତ ପଡ଼ୋଶୀ ଗାଁକୁ ଦୋଳି ଖେଳିବାକୁ ଯାଇଥିଲେ। ସେଠାରେ ପୁରୁଣାସାହିର ଅଚ୍ୟୁତ ନାଥ ସାହୁ ପହଞ୍ଚି ସାଙ୍ଗରେ ଯିବା ପାଇଁ ତାଙ୍କୁ ଡାକି ଥିଲା। କିନ୍ତୁ ସେ ଯିବାକୁ ରାଜି ହୋଇନଥିଲେ। ପରେ ଅଚ୍ୟୁତ ତାକୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିଲା। ଏଥିରେ ଭୟଭୀତ ହୋଇ ଝିଅଟି ସାଙ୍ଗ ସହିତ ତା’ ଘରକୁ ଚାଲି ଯାଇଥିଲେ। ରାତିରେ ତାଙ୍କ ଘରେ ରହିଥିଲେ। ତା’ପର ଦିନ ଅର୍ଥାତ ଶେଷ ରଜରେ ଅଭିଯୁକ୍ତ ଏକ ଅଟୋ ପଠାଇ ପରିବାର ଲୋକ ଡାକିଛନ୍ତି ବୋଲି କହି ଝିଅଟିକୁ ଡାକି ଆଣିଥିଲା। ମାତ୍ର ସେ ବୁଝିପାରିନଥିଲା ଅଭିଯୁକ୍ତର କାରସାଦି। ସହଜରେ ବିଶ୍ୱାସ କରି ଅଟୋରେ ଚାଲି ଆସିଥିଲା। ହାଇସ୍କୁଲ ପାଖରେ ଅଚ୍ୟୁତ ଏକ ବାଇକରେ ଆସି ଅଟୋକୁ ଅଟକାଇଥିଲା। ପରେ ଝିଅଟିକୁ ସାଙ୍ଗରେ ଯିବା ପାଇଁ କହିଥିଲା। ମାତ୍ର ଝିଅଟି ରାଜି ନହେବାରୁ ଅଟୋ ଭିତରେ ତାକୁ ଟଣାଓଟରା କରିଥିଲା। ଫଳରେ ସେ ଭୟଭୀତ ହୋଇ ଅଟୋରୁ ଓହ୍ଲାଇ ଜୀବନ ବିକଳରେ ସ୍କୁଲ ଭିତରକୁ ଦୌଡ଼ି ପଳାଇ ଯାଇଥିଲା। ଆଉ ସେଠାରେ ଅଭିଯୁକ୍ତ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଆଜି ପରିବାର ଲୋକେ ଏନେଇ ସାରଙ୍ଗଗଡ଼ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଭିତ୍ତିକରି ଅଭିଯୁକ୍ତ ଅଚ୍ୟୁତଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଡାକ୍ତରୀ ମାଇନା ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜି.ଉଦୟଗିରି ଏସ୍‌ଡିପିଓ କହିଛନ୍ତି।