ବାହାଘର ପୂର୍ବ ରାତିରେ ଘରୁ ଲୁଚି ପଳାଇ ଆସିଲେ ଛାତ୍ରୀ

ବାରିପଦା (ଓଡ଼ିଶା ରିପୋର୍ଟର): ମୁଁ ଏବେ ବିବାହ କରିବାକୁ ଚାହୁଁ ନାହିଁ। ମୁଁ ପାଠ ପଢ଼ିବାକୁ ଚାହୁଁଛି। ମୋର ବାହାଘର କର ନାହିଁ। ଏମିତି କିଛି କରୁଣ ନିବେଦନ କରିଛନ୍ତି ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଗାଙ୍ଗରାଜ ଅଞ୍ଚଳର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ। ମନକୁ ଦୃଢ କରି ବାହାଘରର ପୂର୍ବଦିନ ରାତିରେ ଘରୁ ଲୁଚି ପଳାଇ ଆସିଛନ୍ତି। ଏନେଇ ଖବର ପାଇବା ପରେ ପୋଲିସ ଓ ଚାଇଲ୍ଡଲାଇନ୍‌ ଅଧିକାରୀମାନେ ଛାତ୍ରୀଙ୍କୁ ଉଦ୍ଧାର କରିଛନ୍ତି।

ଗାଙ୍ଗରାଜ ଅଞ୍ଚଳର ଏହି ଛାତ୍ରୀଙ୍କର ବାପା ନାହାଁନ୍ତି। ଅତ୍ୟନ୍ତ ଗରିବ ପରିବାରର ଝିଅ। ସାନଭାଇ ଓ ମାଆଙ୍କୁ ନେଇ ତାଙ୍କ ପରିବାର। କାମଧନ୍ଦା କରି ମାଆ ଯାହା ଆଣନ୍ତି ସେଥିରେ ଦୁଃଖେକଷ୍ଟେ ପରିବାର ଚଳେ। ଦାରିଦ୍ର୍ୟର ତାଡ଼ନା ଭିତରେ ଛାତ୍ରୀଙ୍କ ମାଆ ତାଙ୍କର ବାହାଘର ଠିକ୍‌ କରି ଦେଇଥିଲେ। ହେଲେ ନାବାଳିକା ଜଣଙ୍କ ଏବେ ବିବାହ କରିବାକୁ ରାଜି ନଥିଲେ। କାରଣ ସେ ଅଧିକ ପଢ଼ିବାକୁ ଚାହୁଁଥିଲେ। ପାଠ ପଢ଼ି ଭଲ ଚାକିରି କରି ମାଆ ଓ ଭାଇଙ୍କ ପାଇଁ କିଛି କରିବାକୁ ଇଚ୍ଛା ରଖିଥିଲେ। ଗତକାଲି ସେ ବିବାହ ନ କରିବାକୁ ମାଆଙ୍କୁ ବୁଝାଇ ଥିଲେ। ହେଲେ କିଛି ସୁଫଳ ମିଳି ନଥିଲା। ବିବାହ ପାଇଁ ତାଙ୍କ ମାଆ ଜିଦ୍‌ ଧରି ବସିଥିଲେ। ଏନେଇ ଛାତ୍ରୀ ଜଣଙ୍କ ନିଜ ନାନୀଙ୍କୁ ଜଣାଇଥିଲେ। ଏହାପରେ ନାନୀ ତାଙ୍କୁ ସହଯୋଗର ହାତ ବଢ଼ାଇଥିଲେ। ରାତିରେ ସେ ଛାତ୍ରୀଙ୍କୁ ଲୁଚାଛପାରେ ଘରୁ ବାହାରକୁ ଆଣି ସ୍କୁଲର ଜଣେ ଶିକ୍ଷକଙ୍କ ପାଖରେ ପହଞ୍ଚାଇଥିଲେ। ଶିକ୍ଷକ ଜଣଙ୍କ ଘଟଣା ସମ୍ପର୍କରେ ସବୁ ଜାଣିବା ପରେ ସରପଞ୍ଚଙ୍କ ସହ ଯୋଗାଯୋଗ କରିଥିଲେ। ସରପଞ୍ଚ ସ୍କୁଲରେ ପହଞ୍ଚି ଝିଅ ପାଖରୁ ସବୁ ଶୁଣିବା ପରେ ପୋଲିସ୍‌ ଓ ଚାଇଲ୍ଡଲାଇନ୍‌କୁ ଖବର ଦେଇଥିଲେ। ପୋଲିସ୍‌ ଓ ଚାଇଲ୍ଡଲାଇନ୍‌ ଅଧିକାରୀମାନେ ସ୍କୁଲରେ ପହଞ୍ଚି ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି। ଝିଅ ଏବେ ଘରକୁ ଫେରିବାକୁ ରାଜି ନଥିବାରୁ ଆଇନ ଅନୁଯାଇ ତା’ର ରହିବା ଓ ପାଠ ପଢ଼ିବାର ବନ୍ଦୋବସ୍ତ କରାଯାଇଛି।

ଛାତ୍ରୀ ଜଣଙ୍କ କହିଛନ୍ତି, “ମୋ ପରିବାର ଅତ୍ୟନ୍ତ ଗରିବ। ମୋର ବାପା ନାହାନ୍ତି। ମାଆ ମୋ ବାହାଘର ବାଙ୍ଗିରିପୋଷି ଅଞ୍ଚଳରେ ଠିକ କରିଦେଥିଲେ। ହେଲେ ମୁଁ ଏବେ ବିବାହ କରିବାକୁ ଚାହୁଁ ନାହିଁ। ମୁଁ ଅଧିକ ପାଠ ପଢ଼ିବାକୁ ଚାହୁଁଛି।”

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମମତାମୟୀ ବିଶ୍ୱାଳ କହିଛନ୍ତି, “ଗତକାଲି ରାତିରେ ଆମେ ଖବର ପାଇବା ପରେ କୁଳିଅଣା ଆଇଆଇସିଙ୍କ ସହ ଯୋଗାଯୋଗ କରି ପିଲାକୁ ଉଦ୍ଧାର କରିଥିଲୁ। ପିଲା ନିଜେ ଖବର ଦେଇଥିଲା ଉଦ୍ଧାର କରିବାକୁ। ସେ ଏବେ ବିବାହ ନକରି ପଢ଼ିବାକୁ ଚାହୁଁଛି। ଶିଶୁ ମଙ୍ଗଳ ସମିତିରେ ଝିଅକୁ ପଚରାଉଚରା ପରେ ସେ କେଉଁଠି ରହିବ ଓ ପଢ଼ିବ ସେ ନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବ।”