ରାଜ୍ୟରେ ସ୍ଥାପନ ହେବ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ, କ୍ୟାବିନେଟ ଦେଲେ ମଞ୍ଜୁରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ସମସ୍ତ ମେଡିକାଲ ଓ ପାରାମେଡିକାଲ ଅନୁଷ୍ଠାନଗୁଡ଼ିକର ପ୍ରଶାସନିକ ଓ ଶିକ୍ଷା ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରିବା ପାଇଁ ସ୍ୱତନ୍ତ୍ର ଭାବେ ଏକ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ସ୍ଥାପନ ନିମନ୍ତେ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଆଇନ-୨୦୨୧ ବିଲକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଜି ବିଧାନସଭାକୁ ଅବଗତ କରିଥିଲେ।

ରାଜ୍ୟରେ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ସରକାର ଦୀର୍ଘଦିନ ଧରି ଘୋଷଣା କରିଥିବାବେଳେ କ୍ୟାବିନେଟରେ ଆଗତ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଆଇନ-୨୦୨୧ ବିଲରେ ଆଧୁନିକ ଔଷଧ, ମାନସିକ ରୋଗ ଚିକିତ୍ସା, ଦନ୍ତ ଚିକିତ୍ସା, ହୋମିଓପାଥି, ଆୟୁର୍ବେଦ, ନର୍ସିଂ, ଫାର୍ମାସୀ, ପାରା ମେଡିକାଲ, ଫିଜିଓଥେରାପି ଓ ଆଲାଏଡ୍ ମେଡିକାଲ ବିଜ୍ଞାନ ପାଠ୍ୟକ୍ରମରେ ସଠିକ୍ ଶିକ୍ଷାଦାନ, ପ୍ରଶିକ୍ଷଣ ଓ ଗବେଷଣାକୁ ସୁନିଶ୍ଚିତ କରିବା ସଙ୍ଗେସଙ୍ଗେ ବିଭିନ୍ନ ମେଡ଼ିକାଲ ଓ ଆନୁସଙ୍ଗିକ ବିଷୟରେ ଶୈକ୍ଷିକ କାର୍ଯ୍ୟକ୍ରମରେ ସମାନତା ଆଣିବା ଏହି ବିଲର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଏହାବ୍ୟତୀତ କ୍ୟାବିନେଟରେ ନିଆଯାଇଥିବା ଅନ୍ୟ ନିଷ୍ପତ୍ତିଗୁଡ଼ିକ ହେଲା, ଗ୍ରୀଡ଼କୋ ସୁବିଧାରେ ବ୍ୟାଙ୍କ ଋଣ ପାଇବା ପାଇଁ ୨୦୧୯-୨୦ରେ ଦିଆଯାଇଥିବା ୧୫୦୦କୋଟି ଓ ୨୦୨୦-୨୧ ନିମନ୍ତେ ଦିଆଯାଇଥିବା ୨୬୦୦କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟିର ଅବଧି ୨ବର୍ଷର ମୋରାଟୋରିୟମ ସହିତ ୫ ବର୍ଷରୁ ୭ବର୍ଷକୁ ବୃଦ୍ଧି କରିବା ପାଇଁ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି। ରାଜ୍ୟସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ବିକାଶ ପ୍ରକଳ୍ପ ଯାହା ୩୫୬.୩୮କୋଟି ଟଙ୍କାର ବ୍ୟୟବରାଦରେ କଳିଙ୍ଗ ଷ୍ଟାଡ଼ିୟମର ଭିତ୍ତିଭୂମି ବିକାଶ ଓ ରାଉରକେଲାଠାରେ ନୂଆ ହକି ଷ୍ଟାଡ଼ିୟମର ନିର୍ମାଣ କରାଯାଇ ଏଫଆଇଏଚ୍ ପୁରୁଷ ବିଶ୍ୱକପ୍ ହକି ୨୦୨୩ ଆୟୋଜନ କରାଯିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି। ରାଜ୍ୟର ୯ଟି ଜିଲ୍ଲାରେ ୧୦ଟି ଆଦିବାସୀ ଭାଷାରେ ଶିକ୍ଷାଦାନ କରିବା ପାଇଁ ୨୦୦୮ ମସିହାରୁ ସୃଷ୍ଟି ହୋଇଥିବା ୧୦୦ଟି ଠିକା ଭାଷା ଶିକ୍ଷକ ପଦବୀକୁ ନିୟମିତ କରାଯିବା ପାଇଁ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି। ସେହିପରି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ପ୍ରସ୍ତାବିତ ଓଡ଼ିଶା ଭେଷଜ ନିୟନ୍ତ୍ରଣ ସେବା(ଭେଷଜ ନିୟନ୍ତ୍ରଣ ପ୍ରଶାସନ) ନିଯୁକ୍ତି ତଥା ସେବା ସର୍ତ୍ତାବଳୀ ନିୟମ-୨୦୨୦ ପ୍ରବର୍ତ୍ତନ କରାଯିବା ପାଇଁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି।

ସେହିପରି ବିଳମ୍ବିତ କିସ୍ତି ପ୍ରଦାନ ଯୋଗୁ ଓଡ଼ିଶା ଗୃହ ନିର୍ମାଣ ସଂସ୍ଥା ଉପରେ ଧାର୍ଯ୍ୟ ହୋଇଥିବା ୯୯୪.୫୯ଲକ୍ଷ ଟଙ୍କାର ସୁଧ ଓ ଭୁବଶ୍ୱେର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଉପରେ ଧାର୍ଯ୍ୟ ହୋଇଥିବା ୧୯୨୦.୮୮ଲକ୍ଷ ଟଙ୍କାର ସୁଧ ଛାଡ଼ ସହିତ ଉଭୟ କର୍ତ୍ତୃପକ୍ଷ ଗୃହ ହସ୍ତାନ୍ତରଣ ବା ଆବଣ୍ଟନ ସମୟରେ ବକେୟା ରହିଥିବା ୫୬୬.୫୨ଲକ୍ଷ ଟଙ୍କା ପରିଶୋଧ କରିବା ପାଇଁ କ୍ୟାବିନେଟ ମଞ୍ଜୁରୀ ମିଳିଛି।

ଖଣି ପରିଚାଳନାରେ ବ୍ୟାପକ ଦ୍ରୁତ ପରିବର୍ତ୍ତନ ସହିତ ବେନିୟମ ଖଣି କାରବାର ବୃଦ୍ଧି ପାଇବା ଆଶଙ୍କାକୁ ସଠିକ୍ ଭାବେ ପ୍ରତିହତ କରାଯିବା ନିମନ୍ତେ ରହିଥିବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓଡ଼ିଶା ଖଣିଜ ପଦାର୍ଥ ନିୟମ-୨୦୦୭ର ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି ବୋଲି ମନ୍ତ୍ରୀ ଶ୍ରୀ ଆରୁଖ ସୂଚନା ଦେଇଛନ୍ତି। ବିଧାନସଭା ଅଧିବେଶନ ଚାଲିଥିବା ଯୋଗୁ କ୍ୟାବିନେଟ ନିଷ୍ପତ୍ତିକୁ ପ୍ରଥମେ ସରକାର ବିଧାନସଭାକୁ ଅବଗତ କରାଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।