ସରକାରୀ ଚାକିରିଆ ବିନା ସୁଧରେ କିଣିପାରିବେ ଇ-ଯାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସରକାରୀ ଚାକିରିଆ ବିନା ସୁଧରେ ବିଦ୍ୟୁତ ଚାଳିତ ଗାଡ଼ି (ଇ-ଯାନ) କିଣିପାରିବେ। ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ୨୦୨୧ ଓଡ଼ିଶା ଇଲେକ୍ଟ୍ରି ଭେଇକିଲ୍‌ ପଲିସୀ ଚିଠା ପ୍ରସ୍ତାବରେ ଏପରି ବ୍ୟବସ୍ଥା ରହିଛି। ଏହାଛଡ଼ା ଯେଉଁ ଗ୍ରାହକ ବିଦ୍ୟୁତ ଚାଳିତ ଗାଡ଼ି କିଣିଲେ, ସେମାନଙ୍କୁ ୧୫% ରିହାତି ମିଳିବ। ଦୁଇ ଚକିଆ କ୍ଷେତ୍ରରେ ଏହା ସର୍ବାଧିକ ୫ ହଜାର, ୩ ଚକିଆରେ ୧୨ ହଜାର ଓ ୪ ଚକିଆରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବ୍‌ସିଡି ମିଳିବ। ଯାତ୍ରୀ ଓ ପରିବହନକାରୀ ଗାଡ଼ି ଲାଗି ରାଜ୍ୟ ଜିଏସ୍‌ଟି ସହ ରୋଡ୍‌ ଟ୍ୟାକ୍ସ ଓ ପଞ୍ଜୀକରଣ ଫି’କୁ ସମ୍ପୂର୍ଣ୍ଣ ଛାଡ଼ କରାଯିବ ବୋଲି ୨୦୨୧ ଓଡ଼ିଶା ଇଲେକ୍ଟ୍ରି ଭେଇକିଲ୍‌ ପଲିସୀରେ ରହିଛି।

ଦେଶରେ ବଢୁଥିବା ପ୍ରଦୂଷଣ ଉପରେ ରୋକ୍‌ ଲଗାଇବାକୁ ଇ-ଯାନ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟଗୁଡ଼ିକଠାରୁ ନୀତି ଆୟୋଗ ପ୍ରସ୍ତାବ ଆହ୍ୱାନ କରିଛି। ଏହା ପରେ ରାଜ୍ୟ ପରିବହନ ବିଭାଗ ପ୍ରସ୍ତୁତ କରିଛି ୨୦୨୧ ଓଡ଼ିଶା ଇଲେକ୍ଟ୍ରି ଭେଇକିଲ୍‌ ପଲିସୀ। ସେହି ଅନୁସାରେ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ ହୋଇଛି। ଆଗାମୀ ଦିନରେ ରାଜ୍ୟରେ ଦୁଇ ଚକିଆ, ତିନି ଚକିଆ ଓ ହାଲୁକା ଇ-ଯାନର ବ୍ୟବହାରକୁ ବଢାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିସହ ରାଜ୍ୟର ସମସ୍ତ ସହରରେ ଏୟାର ଇଣ୍ଡେକ୍ସ କ୍ୱାଲିଟିକୁ ଉନ୍ନତିସ୍ତରକୁ ଆଣିବାକୁ ଯୋଜନା କରାଯାଇଛି। ତା’ ସହ ଆସନ୍ତା ୨୦୨୫ ସୁଦ୍ଧା ରାଜ୍ୟରେ ପଞ୍ଜୀକୃତ ହେଉଥିବା ପ୍ରତି ୫ଟି ଗାଡ଼ିରୁ ଗୋଟିଏ ବିଦ୍ୟୁତ ଚାଳିତ ଗାଡ଼ି ଥିବା ନେଇ ମଧ୍ୟ ଆକଳନ କରାଯାଇଛି।

ଓଡ଼ିଶା ଇଲେକ୍ଟ୍ରି ଭେଇକିଲ୍‌ ପଲିସୀ ୨୦୨୧ ଚିଠା ପ୍ରସ୍ତାବରେ ଖାଲି ବ୍ୟବହାରକାରୀ ନୁହଁନ୍ତି, ବରଂ ଗାଡ଼ି ନିର୍ମାତା ଓ ଏ ସଂପର୍କୀତ ଆନୁସଙ୍ଗିକ ଶିଳ୍ପକୁ ପ୍ରୋତ୍ସାହିତ କରିବା ଲାଗି ପଦକ୍ଷେପ ନେଇଛନ୍ତି ସରକାର। ଇ-ଯାନ ନିର୍ମାତାଙ୍କୁ ଶିଳ୍ପନୀତି-୨୦୧୫ ଓ ଏମ୍‌ଏସ୍‌ଏମ୍‌ଇ ନୀତି-୨୦୧୬ରେ ଥିବା ସବୁ ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ତାହାସହ ୨୦୨୫ ମଧ୍ୟରେ ରାଜ୍ୟରେ ନିର୍ମାଣ ହେବାକୁ ଥିବା ଗାଡ଼ି ଉପରେ ଜିଏସ୍‌ଟି ରିଅମ୍ବର୍ସମେଣ୍ଟର ସୁଯୋଗ ମିଳିବ। ଇ-ଯାନ ଚାର୍ଜିଂ ଷ୍ଟେସନ ସ୍ଥାପନ ପାଇଁ ମଧ୍ୟ ସରକାର ବିଭିନ୍ନ ଆକର୍ଷକ ଯୋଜନା ରହିଛନ୍ତି।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।