୧୮ ବର୍ଷ ତଳେ ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ, ଆଜି ପର୍ଯ୍ୟନ୍ତ ନିର୍ମାଣ ହୋଇନି ବସ୍‌ଷ୍ଟାଣ୍ଡ

ଆସିକା (ମନୋଜ ମୁନୀ): ରାଜ୍ୟ ସରକାର ଯାହା କରୁଛନ୍ତି ‘ବିଶ୍ୱସ୍ତରୀୟ’। ବିଶ୍ୱସ୍ତରୀୟ ବସ୍‌ଷ୍ଟାଣ୍ଡ, ବିଶ୍ୱସ୍ତରୀୟ ମେଡ଼ିକାଲ୍‌ ସେବା, ବିଶ୍ୱସ୍ତରୀୟ ଖେଳ ପଡ଼ିଆ। ଏମିତି କେତେ କ’ଣ ବିଶ୍ୱସ୍ତରୀୟ କରୁଛନ୍ତି ରାଜ୍ୟ ସରକାର। ଏହି ବିଶ୍ୱସ୍ତରୀୟ ମଡେଲ୍‌ ଭିତରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିର ଶେରଗଡ଼ରେ ପରିକଳ୍ପିତ ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ନିର୍ମାଣ ୧୮ ବର୍ଷ ହେଲା ଆରମ୍ଭ ହୋଇପାରିନି। ଖାଲି ଜମି ଅଧିଗ୍ରହଣରେ ଅଟକି ରହିଛି ବସ୍‌ଷ୍ଟାଣ୍ଡ କାମ। ୧୮ ବର୍ଷ ତଳେ ବସ୍‌ଷ୍ଟାଣ୍ଡ ପାଇଁ ଶିଳାନ୍ୟାସ କରିଥିଲେ ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲେ ଆଜି ପର୍ଯ୍ୟନ୍ତ ବସ୍‌ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ସରିପାରୁ ନାହିଁ। ଲୋକେ ଯେମିତି ଯନ୍ତ୍ରଣାରେ ଜର୍ଜରିତ ହେଉଥିଲେ, ଆଜି ଠିକ୍‌ ସେମିତି ଘାଣ୍ଟି ହେଉଛନ୍ତି। ଏବେ ଲୋକେ ପଚାରୁଛନ୍ତି, କେବେ କାର୍ଯ୍ୟକାରୀ ହେବ ଶେରଗଡ଼ ସ୍ଥାୟୀ ବସ୍‌ଷ୍ଟାଣ୍ଡ?

ରାଜ୍ୟ ରାଜପଥ ପାର୍ଶ୍ୱରେ ଗଢ଼ି ଉଠିଛି ଶେରଗଡ଼ ସହର। ଏହି ସହରର ବ୍ୟସ୍ତବହୁଳ ଚାରି ଛକରେ ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ସେଥିପାଇଁ ୧୮ ବର୍ଷ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ୍‌ କରିଥିଲେ। ତେବେ ବସ୍‌ଷ୍ଟାଣ୍ଡ ଅଞ୍ଚଳରେ କିଛି ବ୍ୟକ୍ତିଗତ ଜମି ଓ ମନ୍ଦିର ପଡ଼ୁଥିବାରୁ ମାମଲା କୋର୍ଟକୁ ଯାଇଥିଲା। ଯେଉଁଥିପାଇଁ ପ୍ରଶାସନ ପଛ ଘୁଞ୍ଚା ଦେଇଥିଲା। ପରେ ବସ୍‌ଷ୍ଟାଣ୍ଡ ପାଇଁ ଶିଳାନ୍ୟାସ ହୋଇଥିବା ସ୍ଥାନଠାରୁ ୧୦୦ ମିଟର ଆଗକୁ ଦେଢ଼ ହେକ୍ଟର ଜମି ଚିହ୍ନଟ କରାଯାଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ସେଠାରେ ନିର୍ମାଣ ହୋଇପାରିଲା ନାହିଁ ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ। କେବଳ ଜମି ସମତୁଲ କରି ଚୁପ୍ ବସିଛି ସରକାର।

ବସ୍‌ଷ୍ଟାଣ୍ଡ ପାଇଁ ଚିହ୍ନଟ ହୋଇଥିବା ଜମିରେ ଏବେ ପଡ଼ୁଛି ଅଳିଆ। ଯେଉଁଥିପାଇଁ ବସ୍‌ ଗୁଡ଼ିକ ରାସ୍ତା ପାର୍ଶ୍ୱରେ ଛିଡ଼ା ହେଉଛନ୍ତି। ଯାତ୍ରୀମାନେ ନାନା ଅସୁବିଧାରେ ପଡ଼ୁଛନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ଆଉ କେତେଦିନ ପରେ ବସ୍‌ଷ୍ଟାଣ୍ଡ ନିର୍ମାଣ ଶେଷ ହେବ? ଶିଳାନ୍ୟାସ ପୂର୍ବରୁ କ’ଣ ପ୍ରଶାସନ ଚିହ୍ନଟ କରିଥିବା ଜମି ଯାଞ୍ଚ କରିନଥିଲା? ଯଦି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀରେ ଏପରି ଅବସ୍ଥା, ତାହାହେଲେ ଉପାନ୍ତ ଅଞ୍ଚଳରେ ଅବସ୍ଥା କେମିତି ଥିବ?

ଶେରଗଡ଼ ତହସିଲଦାର ଦୟାସିନ୍ଧୁ ପରିଡା କହିଛନ୍ତି, “ଜମି ବିବାଦ ପାଇଁ ବସ୍‌ଷ୍ଟାଣ୍ଡ ନିର୍ମାଣ ହୋଇପାରୁନଥିଲା। ଏବେ ଜମି ବିବାଦ ସମାଧାନ ହୋଇଯାଇଛି। ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଆସିଥିବା ୩୫ ଲକ୍ଷ ଟଙ୍କାରେ ପାଚେରୀ ଓ ମାଟି ଫିଲିଂ ହୋଇଥିଲା। ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ସେଠାରେ ଗୋଟିଏ ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡ ନିର୍ମାଣ କରିବା ପାଇଁ ଚାହିଁଥିଲେ। ବର୍ତ୍ତମାନ ସେହି ଜମିକୁ ଓଏସ୍‌ଆରଟିସିକୁ ହସ୍ତାନ୍ତର କରାଯାଇଛି। ସେଥିପାଇଁ ଟେଣ୍ଡର ସରିଛି। ୩ କୋଟି ଟଙ୍କା ବ୍ୟୟରେ ଉନ୍ନତ ଧରଣର ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯିବ।”

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।