ରାସ୍ତା ନିର୍ମାଣକୁ ବିରୋଧ କରିବାରୁ ଫାର୍ସା, ଖଣ୍ଡାରେ ଖାଇଲେ ଚୋଟ

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ରାସ୍ତା ନିର୍ମାଣକୁ ନେଇ ଢେଙ୍କାନାଳ ସଦରଥାନା ଭଙ୍ଗାମାଳରେ ଗୋଷ୍ଠୀ ସଂଘର୍ଷ। ପରସ୍ପରକୁ ଖଣ୍ଡା ଓ ଫାର୍ସାରେ ଆକ୍ରମଣ ଯୋଗୁଁ ଉଭୟ ଗୋଷ୍ଠୀର ୩ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଭଙ୍ଗାମାଳରୁ ଦୁଇଜଣ ଓ କମନିଙ୍ଗ ଗାଁରୁ ଜଣେ ରହିଛନ୍ତି। ସେମାନେ ହେଲେ ପ୍ରତାପ ରାଉତ, ଶେଷଦେବ ସାହୁ ଓ ପ୍ରଶାନ୍ତ ରାଉତ। ସମସ୍ତଙ୍କୁ ଢେଙ୍କାନାଳ ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏ ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ ଭଙ୍ଗାମାଳ ଗାଁରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏକ ରାସ୍ତା ନିର୍ମାଣ କାମ ଚାଲୁଥିବା ବେଳେ ଜାଗା ଚିହ୍ନଟକୁ ନେଇ ଗାଁର ଦୁଇଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ସଂଘର୍ଷ ବେଳର ଭିଜୁଆଲ ମୋବାଇଲରେ କଏଦ ହୋଇଛି।

ଚିକିତ୍ସା ପରେ ଆହତ ପ୍ରଶାନ୍ତ ରାଉତ ଓ ଶେଷଦେବ ସାହୁ କହିଛନ୍ତି, ତାଙ୍କ ନିଜସ୍ୱ ଜମି ଉପରେ ରାସ୍ତା ଯାଉଛି। ହେଲେ ଏହି ରାସ୍ତା ଉପରେ ଯୋରଜବରଦସ୍ତି ରାସ୍ତା କରାଯାଉଛି। ଏହାକୁ ନେଇ ହାଇକୋର୍ଟରେ ମାମଲା ମଧ୍ୟ ଚାଲିଛି। କୋର୍ଟ ନିଷ୍ପତ୍ତି ନ ଆସିବା ପର୍ଯ୍ୟନ୍ତ ଝମେଲା ନ କରିବାକୁ କହିବାରୁ ସେମାନଙ୍କୁ ପ୍ରତିପକ୍ଷ ଗୋଷ୍ଠୀର ପ୍ରାୟ ୨୫ ଜଣ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ। ଆକ୍ରମଣରୀମାନେ ସେମାନଙ୍କର ମୁଣ୍ଡ, ଅଣ୍ଟା, ହାତ, ଗୋଡ଼ ପ୍ରଭୃତିକୁ ହାଣି ପକାଇଛନ୍ତି ଏବଂ ପ୍ରବଳ ପିଟିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।