କାମାକ୍ଷାନଗର(ବିଦ୍ୟାଧର ବରାଳ): ସମାନ୍ୟ ବାକି ଟଙ୍କାକୁ ନେଇ ଯୁବକଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି। ବାକି ଟଙ୍କା ପାଇଁ ଯୁବକଙ୍କୁ ପିଆଜ କଟା ଛୁରୀରେ ହତ୍ୟା କରିଛନ୍ତି ଜଣେ ଗୁପଚୁପ ବେପାରୀ। ଘଟଣା ପରେ ଗୁପଚୁପ ବ୍ୟବସାୟୀ ଜଣଙ୍କ ଫେରାର ହୋଇଯାଇଛନ୍ତି। ପୁଲିସ୍ ତାଙ୍କ ଗୁପଚୁପ ରଖାଯାଇଥିବା ସାଇକେଲକୁ ଜବତ କରିବା ସହ ତାଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି।
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଲୋଧଣୀ ପଞ୍ଚାୟତ ଅନ୍ତର୍ଗତ ପାଳସାହି ଗାଁରେ ଗତକାଲି ରାତିରେ ଏହି ଘଟଣା ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ପାଳସାହି ଗାଁର ବିଭୂତି ସାହୁ। ଅଭିଯୁକ୍ତ ଗୁପଚୁପ ବେପାରୀ ସେହି ଗାଁର ଜଗବନ୍ଧୁ ସାହୁ। ଜଗବନ୍ଧୁ ପ୍ରତିଦିନ ନିଜ ସାଇକେଲରେ ବୁଲିବୁଲି ଗୁପଚୁପ ବେପାର କରନ୍ତି।
ଗୁପଚୁପ ବିକ୍ରି କରି ସେ ଯାହା ବି ରୋଜଗାର କରନ୍ତି, ସେଥିରେ ତାଙ୍କ ପରିବାର ଚଳେ। ଏହିକ୍ରମରେ ଜଗବନ୍ଧୁ ବୁଧବାର ପ୍ରାୟ ରାତି ୯ଟା ବେଳେ ଗୁପଚୁପ ବିକ୍ରି କରି ଘରକୁ ଫେରୁଥିବା ବେଳେ ବିଭୂତି ତାଙ୍କୁ ଅଟକାଇଥିଲେ। ଏଥିସହ ଗୁପଚୁପ ଦେବାକୁ କହିଥିଲେ। ଏହି ସମୟରେ ସେ ମଦ ପିଇଥିଲେ। ବିଭୂତି ଗୁପଚୁପ ମାଗିବାରୁ ଜଗବନ୍ଧୁ ପ୍ରଥମେ ବାକି ଟଙ୍କା ଦେବାକୁ କହିଥିଲେ। ବାକି ଟଙ୍କା ନ ମିଳିବା ଯାଏ ଗୁପଚୁପ ମିଳିବ ନାହିଁ ବୋଲି ସେ ରୋକଠୋକ ଶୁଣାଇ ଦେଇଥିଲେ।
ଏକଥା ଶୁଣି ନିଶାସକ୍ତ ବିଭୂତି ରାଗି ଯାଇଥିଲେ। ସେ ଜଗବନ୍ଧୁଙ୍କ ସହ ଯୁକ୍ତିତର୍କ ଆରମ୍ଭ କରିଥିଲେ। ଜଗବନ୍ଧୁ ମଧ୍ୟ ନିଜ ଜିଦରେ ଅଟଳ ରହି ବାକି ଟଙ୍କା ମାଗି ଚାଲିଥିଲେ। ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ମାରପିଟ ଯାଏ କଥା ଯାଇଥିଲା। ଏଥିରେ ରାଗି ଯାଇ ଜଗବନ୍ଧୁ ପିଆଜ କାଟିବା ପାଇଁ ବ୍ୟବହାର କରୁଥିବା ଛୁରୀ ବାହାର କରି ଡରାଇବା ଆରମ୍ଭ କରିଥିଲେ। କିନ୍ତୁ ବିଭୂତି କିଛି ବି ଶୁଣି ନଥିଲେ। ଶେଷରେ ଏହି ମାରିପିଟ୍ ବେଳେ ଜଗବନ୍ଧୁ ଉକ୍ତ ଛୁରୀରେ ବିଭୂତିଙ୍କୁ ଆକ୍ରମଣ କରିଥିଲେ।
ଜଗବନ୍ଧୁଙ୍କ ଛୁରା ମାଡ଼ରେ ବିଭୂତି ସେଇଠାରେ ହିଁ ଠଳି ପଡ଼ିଥିଲେ। ଏହା ଦେଖି ଜଗବନ୍ଧୁ ନିଜର ଗୁପଚୁପ ସାଇକେଲ ଛାଡ଼ି ଫେରାର ହୋଇଯାଇଥିଲେ। ଖବର ପାଇ ପରଜଙ୍ଗ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। କିନ୍ତୁ ସେତେବେଳକୁ ଅତ୍ୟଧିକ ରକ୍ତଶ୍ରାବ ଯୋଗୁ ବିଭୂତିଙ୍କ ମୃତ୍ୟୁ ହୋଇ ସାରିଥିଲା। ପୁଲିସ୍ ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ହତ୍ୟା ମାମଲା ରୁଜୁ କରି ଫେରାର ଜଗବନ୍ଧଙ୍କୁ ଧରିବା ପାଇଁ ଚେଷ୍ଟା କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।