ଗୁରୁପ୍ରିୟା ସେତୁର ଢଳିଥିବା ପିଲାର ରିଡିଜାଇନ୍‌ ହେବ

gurupriya setu-2ଚିତ୍ରକୋଣ୍ଡା: ଢଳି ପଡିଥିବା ନିର୍ମାଣାଧୀନ ଗୁରୁପ୍ରିୟା ସେତୁର ପାଇଲ୍‌ ଗୁଡିକ ରିଡିଜାଇନ୍‌ ହେବ। ଏହାଦ୍ୱାରା ସେତୁର ପାଇଲ୍‌ ଓ ପିଲାର ଗୁଡିକ ଦୀର୍ଘସ୍ଥାୟୀ ହେବ। ଏସବୁ କାର୍ଯ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ  ଶେଷ ହେବ। ଆଜି ଏହା କହିଛନ୍ତି ଗୁରୁପ୍ରିୟା ସେତୁର ୧୩ ନମ୍ବର ପାଇଲ୍‌ ଢଳିଯିବା ନେଇ ଅନୁଧ୍ୟାନ କରିବାକୁ ଆସିଥିବା ୩ ଜଣିଆ ବିଶେଷଜ୍ଞ ଦଳ। ତେବେ ଗଭୀର ଜଳ ଭଣ୍ଡାର ଭିତରେ ଏଭଳି ଏକ ବ୍ରିଜ୍‌ କରିବା ସବୁଠୁ ବଡ ଚ୍ୟାଲେଞ୍ଜ ହେବ ବୋଲି କହିଛନ୍ତି ବିଭାଗୀୟ ଯନ୍ତ୍ରୀ।

ଏନେଇ ପ୍ରୋଜେକ୍ଟ ହେଡ୍‌ ଡକ୍ଟର ଏନ୍‌ସି ପାଲ୍‌ କହିଛନ୍ତି,“ ଏହି ସେତୁରେ କିପରି ଅନ୍ୟ ପାଇଲ୍ ଗୁଡିକ ଢଳି ନ ଯିବ ତାହାର ଅନୁଧ୍ୟାନ ପାଇଁ ମୋ ସହ ଏକ ୩ ଜଣିଆ ଦଳ ଏଠାକୁ ଆସିଛନ୍ତି। ଆମେ ରିପୋର୍ଟ ସଂଗ୍ରହ କରିବା ସହ ପୋଲର ବିଭିନ୍ନ କ୍ଷେତ୍ରକୁ ବୁଲି ଦେଖିଛୁ। ଏନେଇ ୧୦ରୁ ୧୫ ଦିନ ମଧ୍ୟରେ ରିପୋର୍ଟ ଦେବୁ। ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି ପୋଲର ନିର୍ମାଣ କାର୍ଯ୍ୟ ଶେଷ ହେବ।”

କୋଲକାତାର ରୟାଲ ଇନଫ୍ରା ଡିଜାଇନର ଅଭିଜିତ ଚକ୍ରବର୍ତ୍ତୀ କହିଛନ୍ତି,“ସେତୁର ୧୩ ନମ୍ବର ପାଇଲ୍‌ର ରିଡିଜାଇନ୍‌ କରାଯିବ। ଏହା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।”