ପୁରୀରେ ହବିଷ୍ୟାଳିଙ୍କୁ ମିଳିବ ଶାଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାର୍ତ୍ତିକ ବ୍ରତ ଆରମ୍ଭରେ ହବିଷ୍ୟାଳିଙ୍କ ପାଇଁ ପୁରୀରେ ‘ବୃନ୍ଦାବତୀ ନିବାସ’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକାର୍ପଣ କରିବା ସହ ସମସ୍ତ ହବିଷ୍ୟାଳିଙ୍କୁ ଗୋଟିଏ ଲେଖାଏଁ ଶାଲ୍ ଉପହାର ଭାବେ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି।

ଏହି ଅବସରରେ ୩ ଜଣ ହବିଷ୍ୟାଳି ମା’ ଗଞ୍ଜାମ ର ଉର୍ମିଳା ପଟ୍ଟନାୟକ, ମୟୁରଭଞ୍ଜର ସାବିତ୍ରୀ ବିନ୍ଧାଣି ଓ ପୁରୀର ଡ଼ଲିମଣି ନାଇଡ଼ୁ ସେମାନଙ୍କ ଏହି ନୂଆ ସୁବିଧା ସଂପର୍କରେ ନିଜର ମତ ରଖିଥିଲେ।

ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର ଓ ସାଂସଦ ପିନାକୀ ମିଶ୍ର ପ୍ରମୁଖ ସେମାନଙ୍କର ଅଭିଭାଷଣ ରଖି କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ସବୁବେଳେ ଓଡ଼ିଶାବାସୀଙ୍କ କଲ୍ୟାଣ ପାଇଁ କାମ କରିଆସିଛନ୍ତି । ମା’ମାନଙ୍କ ମନ କଥା ଜାଣି, ସେ ପୁରୀରେ କାର୍ତ୍ତିକ ବ୍ରତ ପାଳନ ପାଇଁ ‘ବୃନ୍ଦାବତୀ ନିବାସ’ ଉଦଘାଟନ କରିଛନ୍ତି। ଏହି ଅବସରରେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ପରିଚାଳନା କମିଟିର ସଦସ୍ୟଗଣ ଓ ଅନ୍ୟ ବରିଷ୍ଠ ବ୍ୟକ୍ତି ମାନେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିକେ ପାଣ୍ଡିଆନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ପୁରୀ ଜିଲ୍ଲାପାଳ ଓ ଅତିରିକ୍ତି ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।