ଟଙ୍କା ନ ଦେବାରୁ ପିଲାଙ୍କ ସାର୍ଟିଫିକେଟରେ ‘ବ୍ୟାଡ୍‌ କ୍ୟାରେକ୍ଟର’ ଲେଖିଦେଲେ ଦିଦି

କଳାହାଣ୍ଡି(ଅଜିତ କୁମାର ସିଂହ): ମାଡାମ୍‌ଙ୍କୁ ଟଙ୍କା ନ ଦେବା ଦୁଇ ଜଣ ଛାତ୍ରଙ୍କୁ ମହଙ୍ଗା ପଡ଼ିଛି। ଦୁଇ ଛାତ୍ରଙ୍କ ସ୍କୁଲ ଲିଭିଂ ସାର୍ଟିଫିକେଟରେ ଚରିତ୍ର ନକାରାତ୍ମକ ବୋଲି ଲେଖି ଦେଇଛନ୍ତି ପ୍ରଧାନଶିକ୍ଷୟିତ୍ରୀ। ବର୍ତ୍ତମାନ ଏମାନେ କଲେଜରେ ନାଁ ଲେଖାଇବାରେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏହି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲାରେ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।

ସେପୁର ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟର ଦୁଇଜଣ ଛାତ୍ର ଚଳିତ ବର୍ଷ ମାଟ୍ରିକ ପାସ୍ କରିଥିଲେ। ଅଭିଯୋଗ ଅନୁସାରେ, ସ୍କୁଲ ଲିଭିଂ ସାର୍ଟିଫିକେଟ ନେବାବେଳେ ପ୍ରଧାନଶିକ୍ଷୟିତ୍ରୀ ସରୋଜିନୀ ଶତପଥୀ ସେମାନଙ୍କୁ ୩୫୦ଟଙ୍କା ଲେଖାଏଁ ମାଗିଥିଲେ। କିନ୍ତୁ ଛାତ୍ର ଦ୍ୱୟ ଏତେ ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରିଥିଲେ। ଏହାପରେ ପ୍ରଧାନଶିକ୍ଷୟିତ୍ରୀ ସେମାନଙ୍କୁ ଗାଳି ଗୁଲଜ କରିବା ସହିତ ପୋଲିସକୁ ଡକାଇଥିଲେ। ପରେ ସ୍କୁଲ ଲିଭିଂ ସାର୍ଟିଫିକେଟରେ ଚରିତ୍ର ସ୍ଥାନରେ ନକାରାତ୍ମକ ଲେଖି ଦେଇଥିଲେ।

ଏନେଇ ଅଭିଯୋଗ ହେବାରୁ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ ପ୍ରତିଶ୍ରୁତି ଦେଇଛନ୍ତି।

ଜଣେ ଛାତ୍ର କହିଛନ୍ତି,“ସ୍କୁଲ ଲିଭିଂ ସାର୍ଟିଫିକେଟ ନେବା ପାଇଁ ୩୦୦ଟଙ୍କା ନେଇ ଆସିବା ପାଇଁ ସ୍କୁଲରୁ ଫୋନ୍ ଆସିଥିଲା। ପ୍ରଧାନଶିକ୍ଷୟିତ୍ରୀଙ୍କୁ ସାର୍ଟିଫିକେଟ ମାଗିବାରୁ ସେ ୩୫୦ ଟଙ୍କା ମାଗିଥିଲେ। ଆମେ ୩୦୦ ଟଙ୍କା ଆଣିଛୁ,ଅବଶିଷ୍ଟ ଟଙ୍କା ପରେ ଦେଇ ଦେବୁ କହିଥିଲୁ। ମାଡ଼ାମ୍‌ ମନା କରିଥିଲେ। ପଇସା ନ ଦେବାରୁ ସ୍କୁଲ ଲିଭିଂ ସାର୍ଟିଫିକେଟରେ ଚରିତ୍ର ନକାରାତ୍ମକ ବୋଲି ଲେଖି ଦେଇଥିଲେ।”

ଏନେଇ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।