ଡ଼ହ ଡ଼ହ ଖରାରେ ଆଜି ସିଝିଲା ରାଜଧାନୀ ଭୁବନେଶ୍ୱର, କେତେ ଅଛି ତାପମାତ୍ରା ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରକୃତିର ବୈଚିତ୍ର। ମୌସୁମୀ ଆସିଲା। ହେଲେ ବର୍ଷାର ଦେଖା ନାହିଁ। ପାଣି ବଦଳରେ ଆକାଶରୁ ସତେ ଯେମିତି ବର୍ଷୁଛି ନିଆଁ। ତାତି ଏତେ ଯେ, ଗଲା କିଛି ଦିନ ହେବ ସାରା ରାଜ୍ୟରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ। ରାଜ୍ୟର ୭ଟି ସହରର ତାପମାତ୍ରା ଆଜି ୪୦ ଡିଗ୍ରୀ ଉପରେ ଥିବା ବେଳେ ଭୁବନେଶ୍ୱରରେ ପାରା ୪୨ ଡିଗ୍ରୀ ଡେଇଁଯାଇଛି। ପାଣିପାଗ ବିଭାଗ କାଲି ଯାଏଁ ହିଟ୍‌ ୱେଭ ଆଲର୍ଟ ଜାରି କରିଥିବା ବେଳେ ରାଜ୍ୟରେ ଆଉ ୫ ଦିନ ଗ୍ରୀଷ୍ମ ପ୍ରବାହ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି।

ଗତ ୮ ତାରିଖରେ ଓଡ଼ିଶା ଛୁଇଁଥିଲା ମୌସୁମୀ ବାୟୁ। ମୌସୁମୀ ପହଞ୍ଚୁ ପହଞ୍ଚୁ ରାଜ୍ୟର ଅଧିକାଂଶ ସ୍ଥାନରେ ଅସରାଏ ଦି ଅସରା ବର୍ଷା ହୋଇଥିଲା। ଏହା ପରେ ଦୁଇ ତିନ ଦିନ ଆକାଶ ମେଘୁଆ ରହିବା ପରେ ଯେମିତି ଆକାଶରୁ ଉଭେଇ ଯାଇଛି ମେଘ।  ଗ୍ରୀଷ୍ମ ଲେଉଟିଲା ଭଲି ଲାଗୁଛି। ଆଜି ଭୁବନେଶ୍ୱରରେ ୪୨.୩, କଟକରେ ୪୦.୨, ଚାନ୍ଦବାଲିରେ ୪୦, ଅନୁଗୋଳରେ ୪୧.୩, ବାରିପଦା ୪୦.୪, ଭବାନୀପାଟଣାରେ ୪୦.୨, ବଲାଙ୍ଗିରରେ ୪୦.୬ ଓ ଝାରସୁଗୁଡ଼ାର ତାପମାତ୍ରା ୩୯.୮ ଡିଗ୍ରୀ ରହିଛି। ଯାହାଫଳରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି।

ଏପଟେ ମୌସୁମୀର ସଅଳ ଆଗମନରେ ଖୁସି ଥିବା ଚାଷୀକୂଳ। ପାଗର ଏଭଳି ହଠାତ୍ ପରିବର୍ତ୍ତନକୁ ଦେଖି ହତାଶ ହୋଇପଡ଼ିଛି କୃଷି ବିଭାଗ। ପୁନର୍ବାର ମୌସୁମୀ ବର୍ଷା ନଆସିବା ଯାଏଁ ଢିପ ଓ ମଧ୍ୟ କିସମ ଜମିରେ ବିହନ ନବୁଣିବାକୁ ପରାମର୍ଶ ଦେଇଛି କୃଷୀ ବିଭାଗ।