ଭାଜି ହେଲା ଭୁବନେଶ୍ୱର, ଜାଣନ୍ତୁ ଆଜି କେଉଁଠି କେତେ ଥିଲା ତାପମାତ୍ରା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାବୁକ୍‌ ମାଡ଼ ପରି ଝାଞ୍ଜିପବନର ଝଟ୍‌କା ଚାଇଁ ଚାଇଁ ଲାଗିଯାଉ ଥିଲା। ଶରୀର ପୋଡ଼ି ହୋଇଯାଉଥିଲା ପରି ଲାଗୁଥିଲା। ତା’ସହିତ ମୁଣ୍ଡଫଟା ଖରା କରିଦେଉଥିଲା ଅସ୍ତବ୍ୟସ୍ । ଗତ ଦୁଇ ଦିନ ଧରି ଜାରି ରହିଥିବା ହିଟ୍‌ ୱେଭରେ ସାରାରାଜ୍ୟବାସୀ ଏମିତି ସନ୍ତୁଳି ହୋଇଛନ୍ତି। ଆଜି ବି ଆକାଶରୁ ଅଗ୍ନିବର୍ଷା ହୋଇଥିଲା। ଜ୍ୟେଷ୍ଠ ମାସ ସରିବାକୁ ବସିଲାଣି ତଥାପି ଗରମର ପ୍ରକୋପ କମିବାରେ ନାଁ ଧରୁନି। ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶା। ସବୁଠି ଅସମ୍ଭାଳ ତାତି । ୪୨.୨ ଡିଗ୍ରୀ ତାପମାତ୍ରା ସହ ରାଜଧାନୀ ଭୁବନେଶ୍ୱର ଆଜି ବି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିବାବେଳେ ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି।

ଆଜି ରାଜଧାନୀ ଭୁବନେଶ୍ୱରରେ ୪୨.୨ଡିଗ୍ରୀ,ବାରିପଦା ବି ସମାନ ୪୨.୨ ଡିଗ୍ରୀ, ତାଳଚେର ୪୨, ଅନୁଗୁଳ ୪୧.୯, ଚାନ୍ଦବାଲି ୪୧.୭, ଟିଟିଲାଗଡ଼ ୪୧.୫, ବାଲେଶ୍ୱର ୪୧.୨, କଟକ ୪୦.୬, ବଲାଙ୍ଗିର ୪୦.୮, ଢେଙ୍କାନାଳ ୪୦.୫, ସୋନପୁର ୪୦.୨, ସମ୍ବଲପୁର ୪୦.୨, ପାରାଦୀପ ୪୦.୧ ଓ ଝାରସୁଗୁଡ଼ା ୪୦.୧ ଡିଗ୍ରୀ ରେକର୍ଡ଼ କରାଯାଇଛି। ଆଜ ଦିନ ସାଢ଼େ ଗୋଟାଏ ସୁଦ୍ଧା ରାଜଧାନୀର ତାପମାତ୍ରା ୪୨ ଡିଗ୍ରୀ ଟପିଯାଇଥିଲା।  ଅବସ୍ଥା ଏଭଳି ହୋଇଛି ଯେ, ଦିନ ୯ଟା ପରେ ଆଉ ପଦାକୁ ବାହାରିବା ମୁସ୍କିଲ ହୋଇ ପଡୁଛି।  ଗତ ୧୦ ବର୍ଷର ତାପମାତ୍ରା ରେକର୍ଡକୁ ଦେଖିଲେ, ୨୦୧୨ ଜନ୍‌ରେ ରାଜଧାନୀର ପାରଦ ୪୬.୭ ଡିଗ୍ରୀ ଛୁଇଁଥିଲା।

ସେହିପରି ୨୦୧୫ରେ ୪୪ ଡିଗ୍ରୀ ଛୁଇଁଥିଲା ତେବେ ଏଥର ମୌସୁମୀ ସଅଳ ଆସିବା ସତ୍ୱେ ଅସହ୍ୟ ତାତିରେ ଲୋକେ ଆଉଟୁ ପାଉଟୁ ହେଉଛନ୍ତି।  ସେହିପରି ଆଗାମୀ ୪୮ ଘଣ୍ଟା ଯାଏଁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ହିଟ୍ ୱେଭ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଚଳିତ ମାସ ଶେଷ ଆଡ଼କୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏପରି ହେଲେ ମୌସୁମୀ ପୁଣି ସକ୍ରିୟ ହେବା ସହ ପାଗରେ ପରିବର୍ତ୍ତନ ଆସିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍.ଆର୍. ବିଶ୍ୱାସ କହିଛନ୍ତି।