ପ୍ରଳୟ ପରର ଦୟନୀୟ ଦୃଶ୍ୟ: ଓଦା ମାଟି ତଳୁ ସଂସାର ସାଉଣ୍ଟୁଛି ବିପନ୍ନ

ରାୟଗଡ଼ା/ଭବାନୀପାଟଣା: ଉଛୁଳିଛି ନାଗାବଳୀ, କଲ୍ୟାଣୀ, ହାତୀ ଓ ସାନ୍ଦୁଲ। ଲଗାଣ ବର୍ଷା ଯୋଗୁଁ ନଦୀରେ ଅକାତଅକାତ ପାଣି। ଭରା ନଦୀର ଉଛୁଳା ପାଣି କୂଳ ଲଂଘନ କରି ଗାଁରେ ପଶୁଛି। ଗାଁରେ ଦାଣ୍ଡରେ ପାଣି ଲହଡି ମାରୁଥିବାରୁ ଘରୁ ବାହାରି ପାରୁ ନାହାନ୍ତି ଲୋକେ। ଏ ସମ୍ପର୍କରେ ଖବର ପାଇ ପ୍ରଶାସନ ଲୋକଙ୍କୁ ଉଦ୍ଧାର କରୁଛି। ତଥାପି ଅନେକ ଲୋକ ଜଳବନ୍ଦୀ ଜୀବନ କାଟୁଛନ୍ତି। ଏପରି ସ୍ଥିତି ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ ଦେଖିବାକୁ […]

collect

collect

Rakesh Mallick
  • Published: Monday, 17 July 2017
  • Updated: 17 July 2017, 08:45 PM IST

ରାୟଗଡ଼ା/ଭବାନୀପାଟଣା: ଉଛୁଳିଛି ନାଗାବଳୀ, କଲ୍ୟାଣୀ, ହାତୀ ଓ ସାନ୍ଦୁଲ। ଲଗାଣ ବର୍ଷା ଯୋଗୁଁ ନଦୀରେ ଅକାତଅକାତ ପାଣି। ଭରା ନଦୀର ଉଛୁଳା ପାଣି କୂଳ ଲଂଘନ କରି ଗାଁରେ ପଶୁଛି। ଗାଁରେ ଦାଣ୍ଡରେ ପାଣି ଲହଡି ମାରୁଥିବାରୁ ଘରୁ ବାହାରି ପାରୁ ନାହାନ୍ତି ଲୋକେ। ଏ ସମ୍ପର୍କରେ ଖବର ପାଇ ପ୍ରଶାସନ ଲୋକଙ୍କୁ ଉଦ୍ଧାର କରୁଛି। ତଥାପି ଅନେକ ଲୋକ ଜଳବନ୍ଦୀ ଜୀବନ କାଟୁଛନ୍ତି। ଏପରି ସ୍ଥିତି ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି। ସୂଚନା ମୁତାବକ ନାଗାବଳୀର ଚକ୍ରବ୍ୟୂହର କଲ୍ୟାଣସିଂହପୁର ବ୍ଲକର ୩୦ଟି ଓ ଥୁଆମୂଳ-ରାମପୁର ବ୍ଲକର ୨୪ଟି ପଞ୍ଚାୟତ ଫସିଥିବା ଜଣାପଡିଛି। ଗତକାଲି ଅପେକ୍ଷା ଆଜି ନଦୀ ସାମାନ୍ୟ ଶାନ୍ତ ହେଉଛି। ମାତ୍ର ଲୋକଙ୍କ ଦୁର୍ଦଶା କମିନି।

ଗତକାଲି ନାଗାବଳୀ ନଦୀ କଲ୍ୟାଣସିଂପୁର ବ୍ଲକରେ ତାଣ୍ଡବ ରଚିଥିଲା। ଆଖି ପିଛୁଳାକେ ଘରଦ୍ୱାର ଭାସି ଯାଇଥିଲା। ନାଗାବଳି ଓ କଲ୍ୟାଣୀ ନଦୀ ବନ୍ୟାରେ ଏହି ବ୍ଳକ୍ର ପ୍ରାୟ ୭୦ ପ୍ରତିଶତ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ୩୦ଟି ଗାଁ ପାଣି ଘେରରେ ରହିଛି। ହେଲେ ନାଗାବଳୀ କୁମ୍ଭାରଗୁଡ଼ା ଗାଁକୁ ସମ୍ପୂର୍ଣ୍ଣ ଗ୍ରାସ କରି ଦେଇଛି। କୁମ୍ଭାରଗୁଡ଼ା ଗାଁର ଚିହ୍ନ ନାହିଁ। ଥିଲା କେବଳ ଭଙ୍ଗା ଇଟାର ସ୍ତୁପ। ଏମିତିକି ରାସ୍ତା କେଉଁଠି, ତାକୁ ବି ପାଉନଥିଲେ ଗାଁ ଲୋକେ। ପୋଲ ଆରପଟେ ଫସିଥିବା ଲୋକମାନେ ଜୀବନକୁ ବାଜି ଲଗାଇ ଗାଁକୁ ଫେରିବାକୁ ବାଧ୍ୟ ହେଉଛନ୍ତି। କିଏ ବିଭୀଷିକା ସ୍ଥଳରୁ ହଜିଲା ସାମଗ୍ରୀ ସାଉଁଟୁଥିଲା ତ ପୁଣି କିଏ ଘର ଭିତରୁ ବନ୍ୟା ପାଣି ବାହାର କରୁଥିଲା। ଖବର ପାଇ ପ୍ରଶାସନ ବି ଅବିଳମ୍ବେ ବିପନ୍ନଙ୍କ ପାଖରେ ପହଞ୍ଚିଛି। କ୍ଷୟକ୍ଷତି ଆକଳନ ଚାଲିଥିବା ବେଳେ ରନ୍ଧା ଖାଦ୍ୟ ଯୋଗାଣ ଆରମ୍ଭ ହୋଇଛି। ସେପଟେ ପାଣିଘେରରେ ଥିବା ମାଝିଗୁଡ଼ା ଓ କତ୍ତାଗୁଡ଼ା ଅଞ୍ଚଳରେ ଆକାଶ ମାର୍ଗରୁ ରିଲିଫ୍ ବଣ୍ଟନ କରାଯାଉଛି।

କଳାହାଣ୍ଡି ଜିଲ୍ଲାରେ ମଧ୍ୟ ସ୍ଥିତି ସାଂଘାତିକ ରହିଛି। ଜୁନାଗଡ଼ ନିକଟରେ ହାତୀନଦୀ ପୋଲ ଉପରେ ଏବେ ବି ପାଣି ଚାଲୁଥିବାରୁ ଗମନାଗମନ ଠପ୍ ହୋଇଯାଇଛି। ଥୁଆମୁଳ-ରାମପୁର ବ୍ଲକରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବ୍ୟାପକ କ୍ଷୟକ୍ଷତି କରିଛି। ଏଠାରେ ୨୪ଟି ପଞ୍ଚାୟତ ପାଣି ଘେରରେ ରହିଛି। ସାନ୍ଦୁଲ ନଦୀରେ ବନ୍ୟା ଆସିବାରୁ ଆହୁରି ଅଧିକ ଗାଁ ଜଳମଗ୍ନ ହେବା ଆଶଙ୍କା ରହିଛି। ଭବାନୀପାଟଣା ତଳବେଲ ପଞ୍ଚାୟତର ପଲସାପଡ଼ା ଗାଁରେ ହଠାତ୍ ପାଣି ପଶିବାରୁ ୭୦ ପରିବାର ପଞ୍ଚାୟତ ଅଫିସରେ ଆଶ୍ରୟ ନେଉଛନ୍ତି। ଭବାନୀପାଟଣାରୁ ଲାଞ୍ଜିଗଡ଼ ମଧ୍ୟରେ ୪ଟି ସ୍ଥାନରେ ଛୋଟ ଛୋଟ ପୋଲ ଭାଙ୍ଗିଯାଇଛି। ୨୬ ନମ୍ବର ଜାତୀୟ ରାଜପଥରେ ପାଣି ଯୋଗୁଁ ଭବାନୀପାଟଣା-ଜୟପାଟଣା, ନବରଙ୍ଗପୁର-କୋରାପୁଟ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ନର୍ଲା ନିକଟରେ ଟ୍ରେନ୍ ଲାଇନ ଉପରେ ଏକ ଫୁଟରୁ ଅଧିକ ଉଚ୍ଚରେ ପାଣି ଚାଲୁଥିବାରୁ ରେଳ ଚଳାଚଳ ମଧ୍ୟ ବନ୍ଦ ରହିଛି।

ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ କଟକ ଜିଲ୍ଲାର ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମୀକ୍ଷା ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି-“ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ରାଜସ୍ୱ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ବନ୍ୟା ଓ ତା ପରବର୍ତ୍ତୀ ପରିସ୍ଥିତି ଉପରେ ନଜର ରଖାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos