ଆଜି ପ୍ରବଳ ବର୍ଷିବ, ପବନ ବି ବୋହିବ: ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କାଳବୈଶାଖ ପ୍ରଭାବରେ ଆଜି ପ୍ରବଳ ବର୍ଷା ହେବ। ଘଡ଼ଘଡ଼ି ମାରିବ। ପ୍ରବଳ ବେଗରେ ପବନ ମଧ୍ୟ ବୋହିବ। ଏଥିପାଇଁ ୧୧ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। ଏହି ସମୟରେ ଭିତରେ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି।

କାଳବୈଶାଖୀ ପ୍ରଭାବରେ ଆଜି ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ନୟାଗଡ଼ା, ଖୋର୍ଦ୍ଧା, କଟକ, ପୁରୀ, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ଝଡ଼ତୋଫାନ୍‌ ସହ ପ୍ରବଳ ବର୍ଷା ହେବ। ବଜ୍ରପାତ ହେବ। ଘଣ୍ଟାକୁ ୫୦ରୁ ୬୦ କିମି ବେଗରେ ପବନ ବୋହିବ। ଏଥିପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ସନ୍ଧ୍ୟା ୬ଟା ପୂର୍ବରୁ ଘରକୁ ଫେରିଆସିବା ପାଇଁ ପରାମର୍ଶ ଦିଆଯାଇଛି।

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସିବାର ଖବର ଶୁଣି ଆଶ୍ୱସ୍ତ ଅନୁଭବ କରିଥିଲେ ଲୋକେ। ଶେଷରେ ମୌସୁମୀ ଆସିଲା। ପରେ ବର୍ଷା ଉଭାନ ହୋଇଗଲା। ପରିଣାମ ସ୍ୱରୂପ ରଜରେ ଗରମ ଆଉ ଗୁଳୁଗୁଳିରେ ଛଟପଟ ହେଉଥିଲେ ଲୋକ। ଗତକାଲି ସନ୍ଧ୍ୟାବେଳେ ପାଗ ବଦଳି ଗଲା। ଚିଲିକା ମଝିରେ କାଳବୈଶାଖୀର ତାଣ୍ଡବରେ ଫସି ଯାଇଥିଲା ଏକ ଯାତ୍ରୀବାହୀ ଡଙ୍ଗା। ଫଳରେ ଡଙ୍ଗାଟି ବୁଡ଼ି ଯାଇଥିଲା। ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।