ମାଲବାହୀ ଟ୍ରେନ୍‌ ମାଡ଼ିଯିବା ଘଟଣା; ଜାରି ହେଲା ହେଲପ୍‌ଲାଇନ୍‌ ନମ୍ବର

ଯାଜପୁର( ଓଡ଼ିଶା ରିପୋର୍ଟର): ଆଜି ସକାଳୁ ସକାଳୁ ଯାଜପୁର ଜିଲ୍ଲା କୋରେଇ ଷ୍ଟେଶନରେ ଘଟିଥିବା ମର୍ମନ୍ତୁଦ ମାଲବାହୀ ଟ୍ରେନ୍‌ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ଗୁରୁତର ହୋଇଛନ୍ତି। ମୃତକ ତଥା ଗୁରୁତରଙ୍କ ସମ୍ପର୍କରେ ପରିବାର ଲୋକଙ୍କୁ ସୂଚନା ଦେବାକୁ  ରେଲଓ୍ୱ ପକ୍ଷରୁ ଜାରି ହୋଇଛି ହେଲପ୍ ଲାଇନ୍ ନମ୍ବର ।

କୋରେଇ ଷ୍ଟେସନ ଲାଗି ଜାରି ହୋଇଥିବା ନମ୍ବର ହେଉଛି  ୮୪୫୫୮୮୯୯୦୫ ଏବଂ ଭୁବନେଶ୍ୱର ପାଇଁ ଜାରି ହୋଇଥିବା ନମ୍ବର ହେଉଛି ୦୬୭୪-୨୫୩୪୦୨୦ । ସେହିଭଳି ଖୋର୍ଦ୍ଧା ରୋଡ୍ କଣ୍ଟ୍ରୋଲ ରୁମ୍ ପାଇଁ ୦୬୭୪-୨୪୯୨୨୪୫ ନଂ ଜାରି ହୋଇଛି।

ଭଦ୍ରକ-କପିଳାସ ରୋଡର କୋରେଇ ଷ୍ଟେସନରେ ଆଜି ସକାଳ ୬ଟା ୪୪ରେ ଦ୍ରୁତ ଗତିରେ ଆସୁଥିବା ଏକ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିଲା। ଟ୍ରେନ୍‌ଟି ଯାତ୍ରୀ ବିଶ୍ରାମାଗାର ସମେତ ଫୁଟ୍‌ ଓଭରବ୍ରିଜ ଉପରେ ବି ମାଡ଼ି ଯାଇଥିଲା। ଟ୍ରେନ୍‌ର ପ୍ରାୟ ୪ଟି ବଗି ଯାତ୍ରୀ ବିଶ୍ରାମଗାର ଭିତରେ ପଶି ଯାଇଥିବା ବେଳେ ପ୍ରାୟ ୧୨ଟି ବଗି ଟ୍ରାକ୍‌ ଉପରେ ବିକ୍ଷିପ୍ତ ହୋଇ ପଡ଼ି ରହିଛି।  ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହେବାରୁ ଉଭୟ ଲାଇନ ବ୍ଲକ ହୋଇଯାଇଛି।

ଆରପିଏଫ, ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ କରାଯାଉଛି।  ଉଦ୍ଧାର କାର୍ଯ୍ୟରେ ପ୍ରାୟ ୧୦ଟି ଜେସିବି ନିୟୋଜିତ ଅଛି। ଟ୍ରାକ୍‌ ଉପରେ ଏଣେତେଣେ ପଡ଼ିଥିବା ବଗିକୁ ଉଠାଇବାକୁ ପ୍ରାଥମିକତା ଦିଆଯାଉଛି। ଏହି ଦୁର୍ଘଟଣା ଯୋଗୁ ପ୍ରାୟ ଶହେ ମିଟର ପର୍ଯ୍ୟନ୍ତ ଟ୍ରାକ୍‌ ନଷ୍ଟ ହୋଇ ଯାଇଥିବା ଜଣାଯାଇଛି। ଏହାକୁ ମରାମତି ନିମନ୍ତେ ଘଟଣାସ୍ଥଳରେ ୧୫୦ ଶ୍ରମିକ ପହଞ୍ଚି ଯାଇଛନ୍ତି। ଟ୍ରାକ୍‌ ଉପରୁ ସବୁ ବଗି ଉଠିବା ପରେ ପ୍ରାୟ ୨ ଘଣ୍ଟା ଭିତରେ ଟ୍ରାକ୍‌ର ପୁନଃ ମରାମତି କାମ ସରିଯିବ ବୋଲି ଶ୍ରମିକ ନେତା କହିଛନ୍ତି। ଫଳରେ ପୁନଶ୍ଚ ରେଳ ଚଳାଚଳ ସ୍ୱାଭାବିକ ହୋଇ ପାରିବ ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।