ହେମା ଛାଡ଼ିଲେ ବିଜେଡ଼ି

ରାୟଗଡ଼ା(ଓଡ଼ିଶା ରିପୋର୍ଟର): ବିଜେଡି ଛାଡିଲେ ପୂର୍ବତନ ସାଂସଦ ହେମା ଗମାଙ୍ଗ। ରାୟଗଡ଼ା ଜିଲ୍ଲା ଅନ୍ତଝୋଲିରେ ଏକ ସାମ୍ବାଦିକ ସମ୍ମିଳନୀ କରି ଆଜି ସେ ଏକଥା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି,-ଦଳରେ ତାଙ୍କୁ ଅଣଦେଖା କରାଯାଉଥିଲା। ସରକାରୀ ଯୋଜନାରେ ଅର୍ଥ ବାଟମାରଣା, ପିସି କାରବାର,ଆଦିବାସୀଙ୍କ ଜୀବନ ଶୈଳୀ ଓ ସଂପ୍ରଦାୟକୁ ନେଇ ଦଳୀୟ ସାଂସଦଙ୍କ ମନ୍ତବ୍ୟ ଆଦି ୭ଟି କାରଣ ଦର୍ଶାଇ ସେ ଦଳ ଛାଡ଼ିଥିବା କଥା କହିଛନ୍ତି । ଏନେଇ ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଥିବା ସୂଚନା ଦେଇଛନ୍ତି। ବିଜେଡିରୁ ଇସ୍ତଫା ଦେବା ପରେ ହେମା କେଉଁ ଦଳକୁ ଯିବେ ତାହା ସ୍ପଷ୍ଟ କରି ନ ଥିଲେ ବି ଗତ ୧୫ ତାରିଖରେ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରିଥିବାରୁ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି। ପୂର୍ବରୁ ହେମା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନଙ୍କ ବିରୋଧରେ ମଧ୍ୟ କଡ଼ା ମନ୍ତବ୍ୟ ଦେଇଥିଲେ। ମୁଖ୍ୟମନ୍ତ୍ରୀ କିଛି ଜାଣନ୍ତିନି, ପାଣ୍ଡି‌ଆନ ହିଁ ସର୍ବେସର୍ବା, ପାଣ୍ଡିଆନଙ୍କ ବିନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଅସମ୍ଭବ ବୋଲି  ସେ ବିସ୍ଫୋରକ ବୟାନ ଦେଇ ଚର୍ଚ୍ଚାକୁ ଆସିଥିଲେ। ହେମା ଗତ ସାଧାରଣ ନିର୍ବାଚନରେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥିନୀ ହୋଇ ପରାଜିତ ହୋଇଥିଲେ।