ଓଭରବ୍ରିଜ ଭୁଶୁଡ଼ିବା ଘଟଣା: ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ

କଟକ: ଭୁବନେଶ୍ୱରର ବମିଖାଲ ଓଭରବ୍ରିଜ ଭୁଶୁଡ଼ିବା ଘଟଣାକୁ ନେଇ ରୁଜୁ ହୋଇଥିବା ଜନସ୍ୱାର୍ଥ ମାମଲାରେ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ। ଖଣ୍ଡପୀଠ ଗତକାଲି ମାମଲାର ଶୁଣାଣି କରି ମୁଖ୍ୟ ଶାସନ ସଚିବ, ପୂର୍ତ୍ତ ସଚିବ, ଡିଜାଇନ ଆଣ୍ଡ ରୋଡ୍ ମୁଖ୍ୟ ଯନ୍ତ୍ରୀ, ରୋଡସ୍ ଆଣ୍ଡ ବିଲ୍ଡିଂ ନିର୍ବାହୀ ଯନ୍ତ୍ରୀ ଓ ପଣ୍ଡା ଇନଫ୍ରା ପ୍ରୋଜେକ୍ଟ ଲିମିଟେଡକୁ ଏହି ନୋଟିସ ଜାରି କରିଛନ୍ତି।

ନ୍ୟାସନାଲିଷ୍ଟ ଲୟର୍ସ ଫୋରମର ଆବାହକ ସବ୍ୟସାଚୀ ମହାପାତ୍ରଙ୍କ ପକ୍ଷରୁ ଦାଏର ମାମଲାରେ ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବିଆର ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଶୁଣାଣି କରିଥିଲେ।  ମାମଲାର ପରବର୍ତ୍ତୀ ଶୁଣାଣି ପୂଜା ପରେ କରାଯିବାକୁ ଧାର୍ଯ୍ୟ କରାଯାଇଥିବା ବେଳେ ଏହା ପୂର୍ବରୁ ପ୍ରତିପକ୍ଷମାନେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ସେପ୍ଟେମ୍ୱର ୧୦ ତାରିଖରେ ବମିଖାଲ ଓଭରବ୍ରିଜ ଭୁଶୁଡ଼ି ପଡ଼ିଥିଲା। ଏହି ଘଟଣାରେ ଝାରପଡ଼ାର ସତ୍ୟ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।