ହାଇକୋର୍ଟରେ କଟକ ମେୟର ନିର୍ବାଚନ ମାମଲା: ନିର୍ବାଚନ ବିଜ୍ଞପ୍ତି ରଦ୍ଦ ଲାଗି ଆବେଦନ

କଟକ: କଟକ ମେୟର ନିର୍ବାଚନ ଘଟଣା ଏବେ ହାଇକୋର୍ଟରେ ପହଞ୍ଚିଛି। ନିର୍ବାଚନ ଲାଗି ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ରଦ୍ଦ କରିବାକୁ ହାଇକୋର୍ଟରେ ଆବେଦନ କରାଯାଇଛି। ମେୟର ନିର୍ବାଚନ ପୂର୍ବରୁ ଖାଲି ପଡ଼ିଥିବା ୨୧ ନମ୍ୱର ୱାର୍ଡ କର୍ପୋରେଟର ନିର୍ବାଚନ କରାଇବା ନେଇ ଏହି ଆବେଦନ କରାଯାଇଛି। ୨୧ ନମ୍ୱର ୱାର୍ଡ ଅଞ୍ଚଳର ଆଶାୟୀ କର୍ପୋରେଟର ପ୍ରାର୍ଥୀ କନକଲତା ନାୟକ ଏହି ମାମଲା ରୁଜୁ କରିଛନ୍ତି। ଏଥିରେ ରାଜ୍ୟ ନିର୍ବାଚନ କମିଶନର, ରାଜ୍ୟ ନିର୍ବାଚନ କମିଶନରଙ୍କ ସଚିବ, ପୌର ପ୍ରଶାସନ ନିର୍ଦ୍ଦେଶକ ଏବଂ ସିଏମସି କମିଶନରଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସିଏମସିର ୨୧ ନମ୍ୱର ୱାର୍ଡ ତଫସିଲଭୁକ୍ତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଆସନ। କେବଳ ସେତିକି ନୁହେଁ ସିଏମସି ମଧ୍ୟରେ ଥିବା ବାରବାଟୀ କଟକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏହା ଏକମାତ୍ର ମହିଳା ତଫସିଲଭୁକ୍ତ ଜାତି ପାଇଁ ସଂରକ୍ଷିତ ଆସନ। ଏହି କର୍ପୋରେଟର ପଦ ଖାଲି ଥିବା ବେଳେ ମେୟର ନିର୍ବାଚନ କରାଗଲେ ଏହା ଓଡ଼ିଶା ମ୍ୟୁନିସପାଲ କର୍ପୋରେସନ ଆକ୍ଟ ୨୦୦୩ର ଉଲ୍ଲଂଘନ ହେବ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ଗତ ୮ ତାରିଖରେ ସିଏମସି ମେୟର ନିର୍ବାଚନ ସମ୍ପର୍କିତ ବିଜ୍ଞପ୍ତିକୁ ରଦ୍ଦ କରିବାକୁ ସେ ନିବେଦନ କରିଛନ୍ତି।