ହୀରାକୁଦ ଥାନାରେ ନିର୍ଯାତନା: ୪ ପୋଲିସ୍ କର୍ମଚାରୀଙ୍କ ନାଁରେ ଲିଖିତ ଅଭିଯୋଗ କଲେ ପୀଡ଼ିତଙ୍କ ମା’

ସମ୍ୱଲପୁର: ହୀରାକୁଦ ଥାନାରେ ନାବାଳକକୁ ନିର୍ଯାତନା ଘଟଣାରେ ଶୁକ୍ରବାର ପୀଡ଼ିତ ନାବାଳକଙ୍କ ମା’ ଲିଖିତ ଅଭିଯୋଗ କରିଛନ୍ତି। ସେ ୪ ପୋଲିସ୍ କର୍ମଚାରୀ ଓ ଜଣେ ଠିକାଦାରଙ୍କ ନାଁରେ ଅଭିଯୋଗ କରିଛନ୍ତି। ସେ ସମ୍ବଲପୁର ଏସପି ଅନିରୁଦ୍ଧ ସିଂହଙ୍କୁ ଭେଟିଥିଲେ ଓ ଏମାନଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ।

ଅନ୍ୟପକ୍ଷରେ ଉତ୍ତରାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟରୁ ଏକ ତଥ୍ୟ ଅନୁସନ୍ଧାନକାରୀ ଟିମ୍ ଆଜି ପୀଡ଼ିତଙ୍କ ଘରକୁ ଯାଇ ଅଭିଯୋଗ ସଂପର୍କରେ ପରିବାର ଲୋକଙ୍କଠାରୁ ତଥ୍ୟ ସଂଗ୍ରହ କରିଥିଲା।

ସୂଚନାଯୋଗ୍ୟ, ଜାନୁଆରୀ ୧୩ ତାରିଖରେ ‘ଓଟିଭି’ରେ ଜଣେ ନାବାଳକୁ ହୀରାକୁଦ ଥାନାରେ ଅମାନବୀୟ ଭାବେ ମାଡ଼ ମରାଯାଇଥିବା ସଂପର୍କିତ ଏକ ଭିଡିଓ ପ୍ରସାରଣ କରିଥିଲା। ଏହା ପରେ ସମ୍ବଲପୁର ଏସପି ବୁର୍ଲା ଏସଡିପିଓଙ୍କ ଘଟଣାର ତଦନ୍ତ କରି ୧୨ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ କହିଥିଲେ। ଗତକାଲି ବୁର୍ଲା ଏସଡିପିଓ ପ୍ରାଥମିକ ତଦନ୍ତ ରିପୋର୍ଟ ଦେବା ପରେ ସମ୍ବଲପୁର ଏସପି ହୀରାକୁଦ ଥାନା ଆଇଆଇସି ସାବିତ୍ରୀ ବଳଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରିବା ସହିତ ଦୁଇ ଜଣ କନଷ୍ଟେବଲଙ୍କୁ ନିଲମ୍ବିତ କରିବା ସହିତ ଜଣେ ହୋମଗାର୍ଡଙ୍କୁ ବହିଷ୍କାର କରିଥିଲେ। ତେବେ ପରେ ଡିଜିପି କେ.ବି ସିଂହ ଆଇସିସି ସାବିତ୍ରୀ ବଳଙ୍କୁ ନିଲମ୍ବନ କରିଥିଲେ। ସେହପରି ଏହି ମାମଲାରେ ରାଜ୍ୟ ମାନବାଧିକାର କମିଶନ ନିଜ ଆଡୁ ମାମଲା ରୁଜୁ କରିଛନ୍ତି। ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କମିଶନ୍ ଉତ୍ତରାଞ୍ଚଳ ଡିଆଇଜି ଓ ସମ୍ବଲପୁର ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।