ହୋମଗାର୍ଡ଼ ହେଲେ ମିଷ୍ଟର କନ୍ଧମାଳ; ସଫଳତା ପାଇଁ ବେଶ୍‌ ଝାଳ ବୁହାଇଲେ

ବାଲିଗୁଡ଼ା (ଅଜିତ କୁମାର ନାୟକ): ହୋମଗାର୍ଡ ଦିଲୀପ ପାତ୍ର ଏବେ ମିଷ୍ଟର କନ୍ଧମାଳ। ପୁଲିସ୍‌ ଚାକିରୀର ବ୍ୟସ୍ତବହୁଳ ସିଡ୍ୟୁଲ୍‌ ଭିତରେ ବି ନିଜ ପାଇଁ ଝାଳ ବୁହାଇବାକୁ ସମୟ ବାହାର କରି ହାସଲ କରିଛନ୍ତି ଏହି ସଫଳତା। ସୁନ୍ଦର ସ୍ୱାସ୍ଥ୍ୟ ରେସ୍‌ରେ ସମସ୍ତଙ୍କୁ ପଛରେ ପକାଇ ମିଷ୍ଟର କନ୍ଧମାଳ ଟାଇଟଲ୍ ହାସଲ କରିଥିବା ଦିଲୀପ ଭବିଷ୍ୟତରେ ‘ମିଷ୍ଟର ଓଡ଼ିଶା’ ଟାଇଟଲ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି।

Mister Kandhamal Compitition
ମିଷ୍ଟର କନ୍ଧମାଳ ପ୍ରତିଯୋଗିତାରେ ଭାଗ ନେଇଥିବା ପ୍ରତିଯୋଗୀ।

ଦିଲୀପ ଏବେ ବାଲିଗୁଡା ଥାନାରେ ହୋମାଗାର୍ଡ଼ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ନିକଟରେ ତାଙ୍କ ଦିବ୍ୟାଙ୍ଗ ବାପା ରହନ୍ତି। ତାଙ୍କ ମା’ ଗାଁରେ ରହନ୍ତି। ତେଣୁ ଡ୍ୟୁଟି ସହିତ ବାପାଙ୍କ କଥା ମଧ୍ୟ ବୁଝାବୁଝି କରନ୍ତି ଦିଲ୍ଲୀପ। ଆଉ ଏସବୁ ପରେ ଯେଉଁ ସମୟ ପା’ନ୍ତି ସେଥିରୁ କିଛି ସମୟ ଜିମ୍‌ରେ ବିତାନ୍ତି ଓ ଝାଳ ବୁହାନ୍ତି।

ନିଜ ସଫଳତାରେ ବେଶ୍‌ ଖୁସି ଥିବା ଦିଲୀପ କହିଛନ୍ତି, “ପୁଲିସ୍‌ ଚାକିରି ଯୋଗୁ ପ୍ରତିଦିନ ୮ ଘଣ୍ଟା ଖଟିବାକୁ ପଡ଼ିଥାଏ। ଏହାପରେ ବି ନିଜ ପାଇଁ ୪ ଘଣ୍ଟା ସମୟ ବାହାର କରି ବାଲିଗୁଡ଼ାସ୍ଥିତ ମହାବୀର ଜିମ୍‌ରେ ୱାର୍କ ଆଉଟ୍‌ କରିଥାଏ।”

Dilip Patra
ଜିମ୍‌ରେ ୱାର୍କ ଆଉଟ୍‌ କରୁଛନ୍ତି ଦିଲୀପ।

କନ୍ଧମାଳ ଜିଲ୍ଲା ବଡି ବିଲ୍ଡିଙ୍ଗ୍ ଏବଂ ୱେଟ  ଲିଫ୍ଟି ସଂଘ ତରଫରୁ ଆୟୋଜିତ ଆନ୍ତଃରାଜ୍ୟ ପ୍ରତିଯୋଗିତାରେ ଭାଗ ନେଇ ଏଭଳି ସଫଳତା ପାଇଛନ୍ତି  ଦିଲ୍ଲୀପ । ଆଉ ସାରା ଜିଲ୍ଲାରେ ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି।

ଦିଲୀପଙ୍କ ଏହି ସଫଳତାରେ ବେଶ୍‌ ଖୁସି ଅଛନ୍ତି ତାଙ୍କ ବାପା ଗଣେଶ ଚନ୍ଦ୍ର ପାତ୍ର। ସେ କହିଛନ୍ତି, ପୁଅ କେବେ ବି ନିଜ ଡ୍ୟୁଟିରେ ଅବହେଳା କରେ ନାହିଁ। ଡ୍ୟୁଟି ସାରି ଘରକୁ ଫେରିବା ପରେ ଯେତେ କଷ୍ଟ ହେଲେ ବି ଜିମ୍‌ ଯାଏ।

Dilip Patra
ନିଜ ଟ୍ରେନରଙ୍କ ସହ ଦିଲୀପ।

ଏନେଇ ବାଲିଗୁଡ଼ା ଥାନାଧିକାରୀ ପ୍ରଶାନ୍ତ କୁମାର ବେହେରା କହିଛନ୍ତି,  ଦିଲୀପ ବହୁତ ପରିଶ୍ରମୀ। ଡ୍ୟୁଟି କରିବା ସହ ବଡିବିଲଡିଂ କରି ସେ ବେଶ୍‌ ସୁନାମ ସାଉଁଣ୍ଟିଛନ୍ତି।

ଦିଲୀପଙ୍କ ଜିମ୍ ଟ୍ରେନର ଶଶାଙ୍କ କୁମାର ପତି କହିଛନ୍ତି, ସେ ବାଲିଗୁଡ଼ା ଭଳି ସ୍ଥାନରୁ ଯାଇ ମିଷ୍ଟର କନ୍ଧମାଳ ହୋଇପାରିଛନ୍ତି। ସେ ଭବିଷ୍ୟତରେ ଆହୁରି ନାଁ କରିପାରିବ ବୋଲି ମୋର ଆଶା ଅଛି।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।