‘ସହି ହେଉନି ନିର୍ଯାତନା, ତଥାପି ସ୍ୱାମୀଙ୍କ ପାଇଁ ଜାଗର କରିବି’

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): “୫ ବର୍ଷ ହେଲା ଗଢ଼ିଛି ସଂସାର। ଡାକ୍ତର ସ୍ୱାମୀ ପାଇଥିବାରୁ ବେଶ୍‌ ଖୁସି ବି ଥିଲି। ହେଲେ ଯୌତୁକ ପାଇଁ ଛୋଟ ଛୋଟ କଥାରେ ଦିଆଯାଉଛି ଅକଥନୀୟ ନିର୍ଯାତନା। ଜୀବନ ଦୁର୍ବିସହ ହୋଇପଡ଼ିଲାଣି। ଏପରିକି ବିରୋଧ କରିବାରୁ ଗତ ୩ ଦିନ ହେବ ଗୃହବନ୍ଦୀ କରି ରଖିଛନ୍ତି। ନା’ ଖାଇବାକୁ ଦେଉଛନ୍ତି, ନା ପିଇବାକୁ। ଏପରିକି ପାଇପରେ ବି ପାଣି ଆସୁନି। ବଞ୍ଚିବା ବହୁ କଷ୍ଟ ହୋଇଗଲାଣି।”  ଏହାସତ୍ତ୍ୱେ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ନିଜ ଭିଡ଼ିଓ କରି ସାହାଯ୍ୟ ଭିକ୍ଷା କରିଛନ୍ତି ନିବେଦିତା ସାହୁ।

ଯେଉଁ ସ୍ୱାମୀ ଦିନେ ସ୍ତ୍ରୀର ମର୍ଯ୍ୟାଦା ଦେଇନି,  ସ୍ତ୍ରୀକୁ କଷ୍ଟ ଦେଇ ଯିଏ ଖୁସି ପାଏ, ସେପରି ସ୍ୱାମୀ ସହ ପୁଣି ଥରେ ଖୁସିର ସଂସାର ଗ‍‍ଢ଼ିବାକୁ ଆଜି ଜାଗର ରଖିଛନ୍ତି ନିବେଦିତା। କାଳେ ପୁଣି ଥରେ ହସି ଉଠିବ ସଂସାର, ଆପଣାର କରିନେବେ ସ୍ୱାମୀ, ସେହି ଭରସାରେ ରାତି ସାରା ଜାଗର ପାଳନ କରିବେ ବୋଲି ମଧ୍ୟ କହିଛନ୍ତି।

୨୦୧୫ରେ ବ୍ରହ୍ମପୁର ଖୋଡ଼ାସିଙ୍ଗ ଅଞ୍ଚଳର ଜଣେ ଡାକ୍ତରଙ୍କୁ ବିବାହ କରିଥିଲେ ନିବେଦିତା ସାହୁ।  ହେଲେ ବାହାଘରର କିଛି ଦିନ ପରଠୁ ଯୌତୁକ ଦାବିରେ ତାଙ୍କ ଉପରେ ସ୍ୱାମୀ ଓ ଶାଶୂଘର ଲୋକଙ୍କ ନିର୍ଯାତନା ଆରମ୍ଭ ହୋଇଗଲା। ସ୍ଥିତି ଅସହ୍ୟ ହେବାରୁ ୨୦୧୮ରେ ବାଧ୍ୟ ହୋଇ ସେ ଶାଶୂଘର ଛାଡ଼ି ବାପ ଘର ଚାଲି ଆସିବା ସହ ଗୋଳନ୍ଥରା ଥାନାଠୁ ନେଇ ମହିଳା ଥାନା ଓ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିଲେ। ହେଲେ  ଏଯାଏ ନ୍ୟାୟ ପାଇପାରିନାହାନ୍ତି ସେ।

ନିଜ ଦୁଃଖ କାହାଣି ବଖାଣି ନିବେଦିତା କହିଛନ୍ତି,  ‘’ଯୌତୁକ ପାଇଁ ଶ୍ୱଶୁର ଘର ଲୋକ କାନ ଧରି ଉଠବସ କରନ୍ତି। ନଣନ୍ଦ ଆସିଲେ ନିର୍ଯାତନା ବଢ଼େ। ମୋତେ ମାରପିଟ କରି ସେମାନେ ଖୁସି ପାଆନ୍ତି। ଦିପାବଳୀ ପରଦିନ ମାରିଦେବାକୁ ଚେଷ୍ଟା କରିଥିଲେ। ଏସିଡ ଫୋପାଡ଼ିବାକୁ ଧମକ ଦେଇଥିଲେ। ଥାନାଠୁ ଆରମ୍ଭ କରି ଏସ୍‌ପିଙ୍କୁ ବି ଜଣାଇଲୁ। କିଛି ପଦକ୍ଷେପ ନିଆଗଲାନି।”

ଏଥିସହ ସେ କହିଛନ୍ତି  “ ମହିଳା ଦିବସରେ ଆସି ଶ୍ୱଶୁର ଘର ସାମନାରେ ଧାରଣାରେ ବସିଲି। କିନ୍ତୁ ସେମାନେ କବାଟ ଖୋଲିଲେ ନାହିଁ। ଏହାପରେ ବାଥରୁମ୍‌ ଯିବାରୁ ଶ୍ୱଶୁର ଘର ଲୋକ ବାହାରୁ ତାଲା ପକାଇ ଦେଲେ। ସେବେଠୁ ଗୃହବନ୍ଦୀ ରହିଛି । ମହାଶିବରାତ୍ରିରେ ଘର ଲୋକ ଆସି ଫଳମୂଳ ଦେଇଛନ୍ତି। ଚା’ କରିବାକୁ ଜିନିଷ ଦେଇଛନ୍ତି। ହେଲେ ଖାଇବା ପିଇବା ବ୍ୟବସ୍ଥା ନାହିଁ। ପାଇପ୍‌ରେ ପାଣି ଆସୁନି।  ଦଉଡ଼ି ସାହାଯ୍ୟରେ ବାପା ଖାଇବାକୁ ଦେଉଛନ୍ତି। ବହୁ କଷ୍ଟରେ ଅଛି। ହେଲେ ମୋ ସ୍ୱାମୀକୁ ପାଇବା ଆଶାରେ ଆଜି ଜାଗର କରିବି। ”

ବନ୍ଦୀ ଜୀବନରୁ ମୁକୁଳିବା ପାଇଁ ନିବେଦିତା ଭିଡିଓ କରି ପୁଲିସ୍‌ ପ୍ରଶାସନକୁ ଆକୁଳ ନିବେଦନ କରିଛନ୍ତି।   ଏଥିସହ ନିଜ ଜୀବନ ପ୍ରତି ବିପଦ ଥିବାରୁ  ସୁରକ୍ଷା  ମାଗିବା ସହ   ଦୋଷୀକୁ ଦଣ୍ଡ ମିଳୁ ବୋଲି କହିଛନ୍ତି।।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।